ଭୁବନେଶ୍ବର ପ୍ରତିଷ୍ଠା ଦିବସ, ୭୪ ବର୍ଷରେ ପାଦଦେଲା ରାଜଧାନୀ
ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ମନ୍ଦିର ମାଳିନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଦେଇଛି ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ନେଇ ଓଡ଼ିଶାର ଅନେକ କିମ୍ବଦନ୍ତି ରହିଛି । ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା ଭୁବନେଶ୍ୱର । ଅର୍ଥାତ୍ ସ୍ୱାଧୀନତାର ଠିକ୍ ଗୋଟିଏ ବର୍ଷ ପରେ ରାଜଧାନୀର ମାନ୍ୟତା ଭୁବନେଶ୍ୱରକୁ ଦିଆଯାଇଥିଲା । ପୂର୍ବରୁ କଟକ ଓଡ଼ିଶାର ରାଜଧାନୀ ରହିଥିଲା । ୧୯୪୮ ମସିହା ଅପ୍ରେଲ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପିତ କରିଥିଲେ । କୁହାଯାଏ ଭୁବନେଶ୍ୱରରେ ଅନେକ ମନ୍ଦିର ରହିଥିବାରୁ ଭୁବନେଶ୍ୱରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ । ଭୁବନେଶ୍ୱରରେ ପ୍ରାୟ ୬ଶହ ଛୋଟବଡ଼ ମନ୍ଦିର ରହିଛି । ତାହାସହ ସମସ୍ତ ମନ୍ଦିରକୁ ନେଇ ରହିଛି କିଛିନାକିଛି କିମ୍ବଦନ୍ତି । ଭୁବନେଶ୍ୱରକୁ ଖାଲି ମନ୍ଦିର ମାଳିନୀ ସହର ନୁହେଁ ଗ୍ରୀନ୍ ସିଟି, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର, ତୋଷାଳୀ ବୋଲି କୁହାଯାଏ ।
ଖବର ଅନୁଯାୟୀ, ଏଭିତରେ ୭ ଦଶନ୍ଧି ବିତିଗଲାଣି । ରାଜଧାନୀର କଳେବର ବଢ଼ିଛି । ଲୋକସଂଖ୍ୟା ବଢ଼ିବା ସହ ବିକାଶ ଆଗେଇଛି । ଅନେକ ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଆଇଆଇଟି, ନାଇଜର ସହ ଶିକ୍ଷା ଭିତ୍ତିଭୂମି ବହୁତ ଆଗକୁ ବଢ଼ିଛି । ବିଶ୍ବ ସ୍ତରୀୟ କ୍ରୀଡ଼ା ଆୟୋଜନ କରି ପ୍ରଶଂସା ସାଉଁଟିଛି ଭୁବନେଶ୍ବର । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜଧାନୀ । ତଥାପି ବିକାଶ କ୍ଷେତ୍ରରେ ଅନେକ ବାଟ ଯିବାକୁ ଅଛି । ଆହୁରି ଅନେକ ଆହ୍ବାନ ରହିଛି । ଆଜି ପ୍ରତିଷ୍ଠା ଦିବସ ଅବସରେର ପିଏମଜିରେ ପରେଡ ହେବ । ଭୁବନେଶ୍ଵରର ୭୨ଟି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ରାଜଧାନୀ ପ୍ରତିଷ୍ଠା ଦିବସ ପରେଡରେ ସାମିଲ ହେଉଛନ୍ତି । ପ୍ରଶାସନ ଓ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ କମିଟି ସହେଯୋଗରେ ବିଧାନସଭା ସମ୍ମୁଖ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ପ୍ରତିଷ୍ଠା ଦିବସ ପାନଳ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।