କୋଭାକ୍ସିନ୍ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ର ୫୦ କର୍ମଚାରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଔଷଧ ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ ର ୫୦ ଜଣ କର୍ମଚାରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । କମ୍ପାନୀର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେପଟେ ଇଲାଙ୍କ ଏହି ଟ୍ବିଟ୍ ପରେ ସୋସିଆଲ ମିଡିଆରେ ଲୋକମାନେ ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ପ୍ରଶଂସା କରୁଥିବା ବେଳେ କିଛି ଲୋକ ସମାଲୋଚନା କରୁଛନ୍ତି । କିଛି ଲୋକ କହିଛନ୍ତି ଯେ କୋଭାକ୍ସିନ୍ ଲୋକଙ୍କ ଜୀବନ ରକ୍ଷା କରୁଛି । ଆଉ କିଛି ଲୋକ କର୍ମଚାରୀମାନଙ୍କୁ କାହିଁକି ଟିକା ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ଇଲା ଆହୁରି କହିଛନ୍ତି, କୋଭିଡ୍ କାରଣରୁ ଆମର ୫୦ ଜଣ କର୍ମଚାରୀ କାମ କରୁନାହାଁନ୍ତି, ତଥାପି ମହାମାରୀ ବ୍ୟାପିବା ପାଇଁ ଲଗାଯାଇଥିବା ଲକଡାଉନରେ ଆମେ ଆପଣଙ୍କ ପାଇଁ ଘଣ୍ଟା ଘଣ୍ଟା କାମ କରୁଛୁ । ଜଣେ ୟୁଜର ତାଙ୍କ ଟ୍ବିଟର ଜବାବ ଦେଇ ଲେଖିଛନ୍ତି, ‘୫୦ ଜଣ କର୍ମଚାରୀ କିପରି କୋଭିଡ୍ ୧୯ ସଂକ୍ରମିତ ହେଲେ ? ସେମାନଙ୍କୁ କାହିଁକି ଟିକାକରଣ କରାଗଲା ନାହିଁ ? କାହିଁକି ଅସ୍ଥାୟୀ ଭିତ୍ତିରେ ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୋର ଜେଜେବାପା-ଜେଜେମା’ ଙ୍କ ବୟସ ୭୫ ବର୍ଷରୁ ଅଧିକ ହେବ । ସେମାନେ ୫ ସପ୍ତାହ ପୂର୍ବରୁ ପ୍ରଥମ ଡୋଜ୍ ଟିକା ନେଇଥିଲେ, ଦୁଇ ସପ୍ତାହ ପୂର୍ବରୁ ଉଭୟ କୋଭିଡ୍ ସଂକ୍ରମିତ ହୋଇଥିଲେ । ତାଙ୍କର କେବଳ ସାମାନ୍ୟ ଜ୍ବର ଅଛି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ସମସ୍ୟା ନାହିଁ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭାରତର କୋଣ ଅନୁକୋଣରେ ଟିକା ପହଞ୍ଚାଇବା ପାଇଁ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ପାଇଁ ଭାରତ ବାୟୋଟେକକୁ ଧନ୍ୟବାଦ ।
ଇଲା କହିଛନ୍ତି ଯେ, ୧୮ଟି ରାଜ୍ୟ ଅଳ୍ପ ଅଳ୍ପ କରି କୋଭାକ୍ସିନ୍ ଟିକା ମିଳିଛି । ହାଇଦ୍ରାବାଦ ସ୍ଥିତ କମ୍ପାନୀ ଆନ୍ଧ୍ରପ୍ରଦେଶ, ହରିୟାଣା, ଓଡିଶା, ଆସାମ, ଜାମ୍ମୁ କାଶ୍ମୀର, ତାମିଲନାଡୁ, ବିହାର, ଝାଡଖଣ୍ଡ ଏବଂ ଦିଲ୍ଲୀ ସମେତ ୧୮ଟି ରାଜ୍ୟକୁ କୋଭାକ୍ସିନ୍ ଯୋଗାଉଛି । ଅନ୍ୟ ରାଜ୍ୟ ଛତିଶଗଡ, କର୍ଣ୍ଣାଟକ, ତେଲେଙ୍ଗାନା, ତ୍ରିପୁରା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ।