ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର
ଭଦ୍ରକ, (ଓଡିଶା ଟାଇମ୍) : ମହାମାରୀ କରୋନା ପାଇଁ ଦୀର୍ଘ ୧୦ମାସ ହେବ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କ ଦର୍ଶନ ପାଇ ପାରୁନଥିଲେ। ମନ୍ଦିର ଖୋଲିବା ଓ ଦର୍ଶନ ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ମନ୍ଦିର ଖୋଲିବା ପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା।
ସର୍ବପ୍ରଥମେ ମନ୍ଦିରର ସେବାୟତ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇଥିବା ବେଳେ ଆଜି ରବିବାର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଛି ମଣିବାବାଙ୍କ ମନ୍ଦିର। ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପୂର୍ବପରି କରାଯିବା ସହିତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ମନ୍ଦିରର ଦ୍ୱାର ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଖୋଲା ରହିବ ବୋଲି ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏପରିକି କୋଭିଡ ନିୟମ ଅନୁଯାୟୀ ଶ୍ରଦ୍ଧାଳୁମାନେ ଦର୍ଶନକୁ ଯିବା ସମୟରେ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ମଧ୍ୟରେ ଯିବା ପାଇଁ ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମନ୍ଦିର ମଧ୍ୟକୁ କୌଣସି ପୂଜାସାମଗ୍ରୀ ଓ ଦୀପ ନେବା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି।