‘ବେଙ୍ଗାଲୁରୁ ପାଇଁ ଓଡ଼ିଆଙ୍କ ରହିଛି ଯଥେଷ୍ଟ ଅବଦାନ’
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ଯଥେଷ୍ଟ ରହିଛି। ତେଣୁ ସେମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏଠାରେ ଶିଳ୍ପାନୁଷ୍ଠାନଗୁଡ଼ିକ କାମ ଆରମ୍ଭ କଲେଣି। ତେଣୁ ଓଡ଼ିଆ ଶ୍ରମଜୀବୀମାନେ ଭୟଭୀତ ନ ହୋଇ ଧୈର୍ଯ୍ୟ ଧରନ୍ତୁ। ବେଙ୍ଗାଲୁରୁରେ ଥିବା ଓଡ଼ିଆଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ସେଠାକାର ପୁଲିସ କମିଶନର ଭାସ୍କର ରାଓ। ଏଥିସହ କିଛି ଅସୁବିଧା ହେଲେ ପୁଲିସ୍କୁ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁସାରେ ପୁଲିସ୍ କମିଶନର ଶ୍ରୀ ରାଓ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଓଡ଼ିଆମାନଙ୍କ ସୁବିଧା ନେଇ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରୁଛନ୍ତି। କର୍ଣ୍ଣାଟକରେ ପ୍ରାୟ କାମ ଆରମ୍ଭ ହେଲାଣି। ତେଣୁ ଶ୍ରମିକମାନେ ଓଡ଼ିଶା ନଫେରି ଏଠାରେ କାମରେ ଯୋଗଦିଅନ୍ତୁ ଏବଂ କିଛି ସମସ୍ୟା ଥିଲେ ସ୍ଥାନୀୟ ଥାନା ସହ ଯୋଗାଯୋଗ କରନ୍ତୁ ବୋଲି ଶ୍ରୀ ରାଓ କହିଛନ୍ତି। ସେ କହିଛନ୍ତି ଯେ ବେଙ୍ଗାଲୁରୁରେ ଥିବା ଓଡ଼ିଆ ଶ୍ରମଜୀବୀ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଭୟଭୀତ ହୁଅନ୍ତୁ ନାହିଁ।
ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ନୂଆ ଅଧିକାରୀ
ମହାମାରୀ କରୋନା ବିପର୍ଯ୍ୟୟ ବେଳେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇଆଣିବା ପାଇଁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ତେବେ ଶ୍ରମ କମିଶନର ଓ ଗୃହ ସଚିବ ଉଭୟ କାର୍ଯ୍ୟଭାର ତାଙ୍କ ଉପରେ ନ୍ୟସ୍ତ କରାଯାଇଛି।