ସକାରାତ୍ମକ ଦୃଷ୍ଟିକୋଣରେ ଳକ୍ଡାଉନ

କୋଭିଡ-୧୯ର ପ୍ରଭାବରେ ସମଗ୍ର ପୃଥିବୀ ଏବେ ଅସ୍ତବ୍ୟସ୍ତ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଭାରତ ଏବେ ତୃତୀୟ ସ୍ଥାନରେ ପହଞ୍ଚିଲାଣି । ଏ ରୋଗକୁ ପ୍ରତିହତ କରିବା ପାଇଁ ଚାରିଆଡ଼େ ଲକ୍ଡାଉନ ବା ତାଲାବନ୍ଦ ପ୍ରକ୍ରିୟା ଚାଲିଛି । ଓଡ଼ିଶାରେ ତାଲା ବନ୍ଦ ଏବେ ବି ଯଥେଷ୍ଟ ମାତ୍ରାରେ ବଳବତ୍ତର ରହିଛି । ଆଉ ତାଲା ବନ୍ଦ ଯୋଗୁଁ ସମସ୍ତଙ୍କୁ ରୋଗଠାରୁ ଅଧିକ ଆର୍ଥିକ ଚିନ୍ତା ଘାରିଲାଣି ।
ଏତେ ସବୁ ଚିନ୍ତା ଓ ସମସ୍ୟା ଭିତରେ ବି ମଣିଷ ଆଶାର ଆଲୋକ ନେଇ ବଞ୍ଚିଛି । କାରଣ ମଣିଷ ବର୍ତ୍ତମାନରେ ବଞ୍ଚେ । କହିବାକୁ ଗଲେ, ଆଗକୁ ଲକ୍ଡାଉନର ପ୍ରଭାବ ଯାହା ବି ହେଉ, ଏବେ କିନ୍ତୁ ଏହି ଲକଡାଉନ ଅନେକ ଲୋକଙ୍କୁ ଜୀବନ ଜୀଇଁବାର ଏକ ନୂଆ ଦୃଷ୍ଟିଭଙ୍ଗୀ ପ୍ରଦାନ କରିଛି ।
ସକାଲୁ ରାତି ଯାଁଏ ଅଫିସ ଓ ଚାକିରୀ ପଛରେ ଗୋଡ଼ାଇ ଗୋଡ଼ାଇ ନୟାନ୍ତ ହୋଇ ପଡ଼ିଥିବା ଲୋକେ ଏବେ ଜୀବନର ଛୋଟ ଛୋଟ ଖୁସିକୁ ଭରପୁର ଉପଭୋର କରୁଛନ୍ତି । ନିଜ ପାଇଁ ଟିକିଏ ସମୟ ବାହାର କରି ଆତ୍ମଚିନ୍ତନ କରିବା ହେଉ କି ପରିବାର ସହ ହସ ଖୁସି କରିବା ହେଉ, ଏ ସବୁକୁ ଝୁରି ହେଉଥିବା ଲୋକଙ୍କ ପାଇଁ କିନ୍ତୁ ଲକ୍ଡାଉନ ଆଣି ଦେଇଛି ଯଥେଷ୍ଟ ସୁଯୋଗ ।
ସହରର ଭିଡ଼ରେ ନିଜକୁ ହଜାଇ ଦେଇଥିବା ମଣିଷ ଏବେ ଗାଁ ମୁହାଁ । ଗାଁରେ ଥିବା ବାପା ମାଆ ହୁଅନ୍ତୁ କି ବନ୍ଧୁ ପରିଜନ, ଳକ୍ଡାଉନ ଯୋଗୁଁ ଏ ସମସ୍ତେ ଏବେ ଏକାଠି । ନିଜର ଆତ୍ମୀୟ ସ୍ୱଜନ ଓ ସଂପର୍କୀୟଙ୍କୁ ଜାଣି ନ ଥିବା ସହରୀ ପିଲା ଗାଁ ପରିବେଶରେ ଖେଳକୁଦ କରିବାର ସୁଯୋଗ ପାଇଛନ୍ତି । ଟେକ୍ନୋଲୋଜିରେ ସୀମିତ ହୋଇଯାଇଥିବା ଜୀବନ ଏବେ ପରିବାର ଓ ସଂପର୍କକୁ ନେଇ ନୂଆ ପରିଭାଷା ସୃଷ୍ଟି କରୁଛି । ଚାକିରିଆ ବାପା ମାଆଙ୍କ ସହ ଅଧିକ ସମୟ ବିତାଇ ପାରୁ ନଥିବା ଛୋଟ ଛୋଟ ପିଲାମାନଙ୍କ ଏବେ ସବୁସମୟ ବାପା ମାଆ ଓ ଭାଇଭଉଣୀଙ୍କ ସହ ହିଁ କଟୁଛି । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କିଛି ଯୁବକ ଗାଁରେ ନିଜ ଜମିରେ ଚାଷ କରି ଆତ୍ମନର୍ଭରଶୀଳ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
ମଣିଷ ମାତ୍ରେ ହିଁ ପ୍ରତ୍ୟକଙ୍କ ଜୀବନରେ କିଛି ନିଶା ଥାଏ, କିଛି ଇଚ୍ଛା ଥାଏ । ବୃତ୍ତି ଓ ଜୀବୀକା ଜଞ୍ଜାଳ ପଛରେ ଗୋଡ଼ାଇ ଗୋଡ଼ାଇ ବାସ୍ତବତାଠୁ ଦୂରେଇ ଯାଇଥିବା ଅନେକ ଲୋକ ପୁଣିଥରେ ଉତ୍ସାହୀ ହୋଇ ପଡ଼ିଛନ୍ତି । ନିଜର ହଜି ଯାଇଥିବା ନିଶାକୁ ପୁଣିଥରେ ଖୋଜି ବାହାର କରୁଛନ୍ତି । ସେ ଫୋଟୋଗ୍ରାଫି ହେଉ କି ଗପ ବା କବିତା ଲେଖିବା ହେଉ କିମ୍ବା ଗିଟାର ବଜାଇବା ବା ଗୀତ ନାଚ ହେଉ, ସମୟ ଅଭାବରେ ନିଜର ଏ ସବୁ ନିଶାକୁ ଭୁଲି ଯାଇଥିବା ଲୋକ ଆଉ ଥରେ ଏହାକୁ ଉଜ୍ଜୀବୀତ କରୁଛନ୍ତି ।
କରୋନାର ଭୟାବହତା ସମସ୍ତଙ୍କୁ ଗୋଟିଏ ସୁତ୍ରରେ ବାନ୍ଧିଛି । ମଣିଷର ଇଚ୍ଛା ଓ ଆବଶ୍ୟକତା ଭିତରେ ଯେ ଅନେକ ତଫାତ ରହିଛି, ଏହା ଉଣାଅଧିକ ସମସ୍ତେ ବୁଝିଲେଣି । ଜୀବନ ଓ ଜୀବିକାକୁ ନେଇ ସଂଗ୍ରାମ କରୁଥିବା ଲୋକଙ୍କ ନଗ୍ନ ଚିତ୍ର ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରିଛି । କରୋନାର ପ୍ରଭାବ କେବେ ସରିବ ତାହା କେହି ଜାଣି ନ ଥିବା ବେଳେ, ମଣିଷ ନିଜର ଅସ୍ତିତ୍ୱକୁ ନେଇ ଚିନ୍ତା କରୁଛି । ମଣିଷ ନିଜର ବର୍ତମାନକୁ ଉପଭୋଗ କରିବାକୁ ଚେଷ୍ଟା କରୁଛି ।