ରାଜଧାନୀ ସ୍ଥିତି ଅଣାୟତ୍ତ, କେଉଁ ଅଞ୍ଚଳରେ କେତେ ସଂକ୍ରମିତ ଜାଣନ୍ତୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ କାୟା ମେଲାଇ ଚାଲିଛି କରୋନା। ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବିଏମ୍‌ସି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ଚିହ୍ନଟ ୮୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ଛୋଟ ପିଲା ଏବଂ ହସ୍ପିଟାଲ କର୍ମଚାରୀ ଅଛନ୍ତି। ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୪୯୪ଜଣ ସୁସ୍ଥ ହୋଇଥିବା ବେଳେ ୬୨୪ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବିଶେଷ କରି ରାଜଧାନୀର ରସୁଲଗଡ଼ରୁ ଖଣ୍ଡଗିରି, ଲକ୍ଷ୍ମୀସାଗରରୁ ପଟିଆ, ନୂଆଗାଁରୁ ନୂଆପଲ୍ଲୀ ଭିତରେ ରହିଛି ଏହି ବହୁଳ ସଂକ୍ରମିତ ଇଲାକା । ଏସବୁ ଅଞ୍ଚଳରେ ୨୦ରୁ ଅଧିକ ଲେଖାଏଁ ପଜିଟିଭ୍‌ ବାହାରିଛନ୍ତି ଶେଷ ୧୮ ଦିନ ଭିତରେ । ଯାହାକି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରଶାସନର ହୋସ୍‌ ଉଡ଼ାଇ ଦେଇଛି । ସବୁଠୁ ବେଶି ଚିନ୍ତା ବଢ଼ାଇଛି ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ନୂଆପଲ୍ଲୀ । ନୂଆପଲ୍ଲୀ ଗାଁ ଓ କଲୋନି ଏରିଆରୁ ଜୁଲାଇରେ ଏଯାବତ୍‌ ୫୧ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଯଦି ନୂଆପଲ୍ଲୀରେ ଥିବା ବସ୍ତିକୁ ହିସାବକୁ ନିଆଯିବ, ପଜିଟିଭ୍‌ ସଂଖ୍ୟା ୭୫ ଛୁଇଁଯିବ । ଏଥିରୁ ଅନୁମାନ କରାଯାଇପାରେ, ନୂଆପଲ୍ଲୀରେ କରୋନା କିଭଳି ମାଡ଼ିଗଲାଣି । ବେହେରା ସାହି ହେଉ କି ନୂଆସାହି, ତ୍ରିନାଥ ବସ୍ତି ବା ସୀତାପୁର  ବସ୍ତି ସବୁଠି ମାଳମାଳ କରୋନା ସଂକ୍ରମିତ।

ଲକ୍ଷ୍ମୀସାଗର ଇଲାକା ଏବେ କରୋନା ପ୍ରବଣ ପାଲଟିଛି । ଲକ୍ଷ୍ମୀସାଗର ସମେତ ଏହାକୁ ଲାଗିଥିବା ଅଞ୍ଚଳରେ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଇ ୧୮ ଦିନରେ ୩୯ ଆକ୍ରାନ୍ତ ଚିହ୍ନଟ ହେଲେଣି । ଖଣ୍ଡଗିରି ଓ ଏହାର ପାଶ୍ୱର୍ବର୍ତ୍ତୀ ଆଇଗିଣିଆ, ପାତ୍ରପଡ଼ା ଓ କୋଳଥିଆ ଅଞ୍ଚଳ କରୋନା ଗଡ଼ ପାଲଟିଛି । ଏଠାରୁ ନିୟମିତ ପଜିଟିଭ୍‌ ବାହାରୁଛନ୍ତି । ଚଳିତ ଜୁଲାଇରେ ଏଯାବତ୍‌ ୪୧ ଆକ୍ରାନ୍ତ ଚିହ୍ନଟ ହେଲେଣି । ରସୁଲଗଡ଼ ଓ ଏହାର ପାଶ୍ୱର୍ବର୍ତ୍ତୀ, ବମିଖାଲ, ପଳାଶୁଣି ଓ କଟକରୋଡ୍‌ ଅଞ୍ଚଳରେ କରୋନା ଦ୍ରୁତ ହାରରେ ମାଡ଼ି ଚାଲିଛି । ଏ ସବୁ ଇଲାକାରୁ ୩୪ଜଣ ପଜିଟିଭ୍‌ ବାହାରଲେଣି ଏଇ ଜୁଲାଇରେ । ମାସ ସରିଲାବେଳକୁ ଚିତ୍ର ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି ।

ଏଯାବତ୍‌ ୩୩ ପଜିଟିଭ୍‌ ଚିହ୍ନଟ ହେଲେଣି। ଡୁମୁଡୁମା ଲଗାତାର କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଜୁନ୍‌ରେ ଏ ଅଞ୍ଚଳରୁ ମାଳମାଳ ଆକ୍ରାନ୍ତ ବାହାରିଥିଲେ । ଜୁଲାଇରେ ବି ଥମୁନି । ୨୭ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ଜୁଲାଇ ପହିଲାରୁ ଆଜି ଯାଏଁ । ନୂଆଗାଁ ଭଳି ଗୋଟିଏ ଛୋଟ ଅଞ୍ଚଳରୁ ଜୁଲାଇର ୧୮ ଦିନରେ ୨୫ଜଣ ଆକ୍ରାନ୍ତ ବାହାରିଛନ୍ତି । ପ୍ରଥମେ ଗୋଟିଏ ପରିବାରର ବାପ, ପୁଅ କରୋନା ପଜିଟିଭ୍‌ ବାହାରିବା ପରେ କ୍ରମଶଃ ଗାଁରେ କରୋନା ବ୍ୟାପିବାରେ ଲାଗିଛି ।

ପୁରୁଣା ଭୁବନେଶ୍ୱର ଓ ଏହାର ପାଖାପାଖି ଅଞ୍ଚଳକୁ ବିଳମ୍ବରେ ପଶିଥିଲା କରୋନା । ମାତ୍ର ଏବେ ସ୍ଥିତି ଚିନ୍ତାଜନକ । ନିୟମିତ ଏସବୁ ଇଲାକାରୁ ଆକ୍ରାନ୍ତ ବାହାରୁଛନ୍ତି । ଚଳିତ ଜୁଲାଇରେ ଏଯାବତ୍‌ ୨୪ଜଣ ପଜିଟିଭ୍‌ ଚିହ୍ନଟ ବାହାରିଲେଣି। ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ପୂର୍ବରୁ ବିଶେଷ ଆକ୍ରାନ୍ତ ବାହାରୁନଥିଲେ । ଏବେ ସ୍ଥିତି ବିଗିଡ଼ଲାଣି । ୧୮ ଦିନ ଭିତରେ ୨୧ଜଣ ପଜିଟିଭ୍‌ ବାହାରିଛନ୍ତି ବରମୁଣ୍ଡା ଇଲାକାରୁ । ଏଥିରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ। ଭରତପୁର, ଘାଟିକିଆ ଓ ଶ୍ୟାମପୁର ଅଞ୍ଚଳରୁ ୨୦ଜଣ ଆକ୍ରାନ୍ତ ବାହାରିଛନ୍ତି ଜୁଲାଇ ପହିଲାରୁ ଆଜି ଯାଏଁ । ଏସବୁ ଇଲାକାରେ ଥିବା ବସ୍ତି ଆକ୍ରାନ୍ତଙ୍କୁ ମିଶାଇଲେ ଏହି ସଂଖ୍ୟା ଢେର ଅଧିକ ।

ପଟିଆର କାନନବିହାର ସମେତ ବିଭିନ୍ନ ଅଞ୍ଚଳରୁ ଏଇ କିଛିଦିନ ଭିତରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରିଲେଣି । ୨୦ଜଣ ପଜିଟିଭ୍‌ ବାହାରିଛନ୍ତି ଚଳିତ ଜୁଲାଇରେ । ପାଖ ଡମଣାରୁ ବି ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗତ କିଛିଦିନ ଭିତରେ । ଏହାବାଦ୍‌ ହଂସପାଳ ଓ ପାହାଳ ଇଲାକାକୁ ବି ବ୍ୟାପିଗଲାଣି କରୋନା । ଏସବୁ ଅଞ୍ଚଳରେ ଅଚାନକ ଆକ୍ରାନ୍ତ ସଂଖ୍ୟା ବଢ଼ିଛି । ଏଇ କିଛି ଦିନ ଭିତରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ ହେଲାଣି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜୁଲାଇରେ ଏଯାଏଁ ୧୮ଜଣ ପଜିଟିଭ୍‌ ବାହାରିଲେଣି । ଏହି ସମୟ ଭିତରେ ପାଖ ଶୈଳଶ୍ରୀବିହାରରୁ ୧୦, ନିଳାଦ୍ରିବିହାରରୁ ୮, ମୈତ୍ରୀବିହାରରୁ ୩ଜଣ ପଜିଟିଭ୍‌ ବାହାରିଛନ୍ତି । ଅର୍ଥାତ୍‌ ଏ ଇଲାକା ବି ଆଉ ସୁରକ୍ଷିତ ହୋଇ ରହିନି ।

ଟଙ୍କପାଣି, ରବିଟକିଜ ଓ ବ୍ରହ୍ମେଶ୍ୱରପାଟଣା ଅଞ୍ଚଳରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ଜୁଲାଇରେ । ଏଠାରେ ଯେଉଁଭଳି ସଂକ୍ରମଣ ବଢୁଛି, ସ୍ଥାନୀୟ ଅଞ୍ଚଳରେ ଛନକା ପଶିଗଲାଣି । ପାଖ ବଡ଼ଗଡ଼ ଓ ବିଜେବିନଗର ଇଲାକାରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୟୁନିଟ-୬ ଓ ଗଙ୍ଗନଗରରେ ସଂକ୍ରମଣ ମାଡ଼ିବାରେ ଲାଗିଛି । ଗତ କିଛିଦିନ ଭିତରେ ୧୫ଜଣ କରୋନା ରୋଗୀ ବାହାରିଲେଣି ଏ ଅଞ୍ଚଳରୁ । ଏହାବାଦ୍‌ ଝାରପଡ଼ାରୁ ୧୦, କଳିଙ୍ଗନଗରରୁ ୧୦, କଳିଙ୍ଗବିହାରରୁ ୧୦, ଆଚାର୍ଯ୍ୟବିହାରରୁ ୧୦, ୟୁନିଟ୍‌-୪ରୁ ୧୦, ୟୁନିଟ୍‌-୯ ଅଞ୍ଚଳରୁ ୯ଜଣ କରୋନା ସଂକ୍ରମିତ ହୋଇଛନ୍ତି ଚଳିତ ଜୁଲାଇରେ ।ରାଜଧାନୀର ବସ୍ତି ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ୩୧ଟି ବସ୍ତିରୁ ୮୧ଜଣ ସଂକ୍ରମିତ ହେଲେଣି ଏଇ ୧୮ ଦିନ ଭିତରେ ।

ଜୁନ୍‌ ୩୦ରେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୨୦ ଥିଲା । ମୃତ୍ୟୁ ସଂଖ୍ୟା ଥିଲା ୪ । ସକ୍ରିୟ ଆକ୍ରାନ୍ତ (ଆକ୍ଟିଭ୍‌ କେସ୍‌) ସଂଖ୍ୟା ୧୩୦ ରହିଥିଲା । ହେଲେ ଜୁଲାଇର ୧୮ ଦିନ ଭିତରେ କରୋନା ପୂରା ଉପରମୁହାଁ ହୋଇଯାଇଛି ।

Leave a Reply

Your email address will not be published.