୨୫ ସୁଦ୍ଧା ବାତ୍ୟାର ରୂପ ନେବ ‘ୟଶ୍’
ଭୁବନେଶ୍ବର, (ଓଡିଶା ଟାଇମ୍): ଆସୁଛି ବାତ୍ୟା । ଏ ବର୍ଷ ବି ମେ’ ମାସରେ ଆସୁଛି ବାତ୍ୟା ୟଶ୍ । ଏହା ସିଧାସଳଖ ଓଡ଼ିଶାରେ ମାଡ଼ ହେବ କି ଘଷି ହୋଇ ପଳାଇବ, ଏଯାଏଁ ସ୍ପଷ୍ଟ ହୋଇନି । ତଥାପି ପାଣିପାଗର ପ୍ରାକ୍ ଆକଳନ କହୁଛି, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ଓଡ଼ିଶାରେ ପ୍ରଭାବ ପକାଇବା ସମ୍ଭାବନା ଅଛି । ବିଶେଷ କରି ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଗତବର୍ଷର ଅମ୍ପନ୍ ବାତ୍ୟା ଭଳି ଏଥର ବି କରୋନା ସଙ୍କଟ ଭିତରେ କୋଭିଡ୍ ନିୟମ ପାଳନ କରି ଯେମିତି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିହେବ, ସେ ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ବୁଧବାର ସନ୍ଧ୍ୟାରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାପାଳ, ପୁଲିସ, ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଗୁଆ ପ୍ରସ୍ତୁତ ଓ ସଜାଗ ରହିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୨୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୭୨ ଘଣ୍ଟା ଭିତରେ (୨୫ ତାରିଖବେଳକୁ) ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳ ପାଖରେ ପହଞ୍ଚିବ । ତେବେ ଆସନ୍ତା ୨୨ ତାରିଖବେଳକୁ ଏ ବାବଦରେ ଅଧିକ ତଥା ସ୍ପଷ୍ଟ ଆକଳନ କରିହେବ ।
ଆଇଏମଡି ରିଜିଓନାଲ ସ୍ପେଶାଲାଇଜଡ ମେଟ୍ରୋଲୋଜିକାଲ ସେଣ୍ଟର ତଥା ସାଇକ୍ଲୋନ ପୂର୍ବାନୁମାନ ବିଭାଗ ମୁଖ୍ୟ ଆର୍.କେ.ଜେନାମଣି କହିଛନ୍ତି, ବାତ୍ୟା ରୂପ ନେବା ପରେ ଏହାର ନାଁ ରହିବ ‘ୟଶ୍’ । ଏହି ନାମକରଣ ଓମାନ କରିଛି । ପ୍ରାକ ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଓଡ଼ିଶାରେ ପାଗ ବଦଳିପାରେ । ଉପକୂଳ ଓଡ଼ିଶା, ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷା ଓ ପବନ ଅଧିକ ରହିବ । ସମୁଦ୍ର ମଧ୍ୟଅଶାନ୍ତ ରହିବ । ଯେଉଁମାନେ ଗଭୀର ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ୨୩ ତାରିଖ ସୁଦ୍ଧା ଫେରି ଆସିବାକୁ ସତର୍କ ସୂଚନା ଜାରି କରାଯାଇଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ୨୩ରେ ଲଘୁଚାପ ସୃଷ୍ଟି ହୋଇ ୨୪ରେ ବାତ୍ୟାରେ ପରିଣତ ହେବ । ପ୍ରଥମ ୨୪ ଘଣ୍ଟା ଏହା ମିଆଁମାର ଆଡ଼କୁ ଗତି କରିବ । ତା’ ପରେ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ସମ୍ଭାବ୍ୟ ବାତ୍ୟା ବାବଦରେ ୨୨ ତାରିଖରେ ଅଧିକ ସ୍ପଷ୍ଟ ଭାବେ ଆକଳନ କରିହେବ ।











