ପୁରୀରେ ହଟିଲା ୧କିମି ବ୍ୟାରିକେଡ୍, ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ନଜରରେ ରଖି ନିଷ୍ପତ୍ତି
ପୁରୀ, (ଓଡିଶା ଟାଇମ୍) :କରୋନା ନେଗେଟିଭ୍ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆୟାଇଛି । ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍କୁ ଛୋଟ କରି ଦିଆଯାଇଛି । ବଡ଼ଦାଣ୍ଡରେ ଥିବା ୧ କିମି ବ୍ୟାରିକେଡ୍କୁ ପ୍ରଶାସନ ହଟାଇ ଦେଇଛି। ସୋମବାରଠୁ ମରିଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ଲାଗୁ ହେବ । ଦର୍ଶନାର୍ଥୀ ବିଶେଷ କରି ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ଛୋଟ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି କନୱର ବିଶାଲ୍ ସିଂ ।
ସୂଚନାଯୋଗ୍ୟ, ରବିବାର ଶ୍ରୀମନ୍ଦିର ପରିସର ବିଶୋଧନ କରାଯାଇଥିଲା । ସେଥିପାଇଁ ମନ୍ଦିର ବନ୍ଦ ରହିଥିଲା । ଆଗ୍ନିକମାନେ ବଡ଼ଦେଉଳ ଭିତରେ ବିଶୋଧନ କରିଥିଲେ । ଦମକଳ ବିଭାଗ ପକ୍ଷରୁ ବଡ଼ଦେଉଳ ଚତୁପାର୍ଶ୍ୱକୁ ବିଶୋଧନ କରାଯାଇଥିଲା ।