୪ ଜିଲ୍ଲାରେ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ, ସାମଜିକ ଦୂରତାକୁ ଗୁରୁତ୍ୱ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ମେଲାଇ ଚାଲିଛି। ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ବିଶେଷ କରି ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସ୍ଥିତିକୁ ଆହୁରି ଜଟିଳ କରୁଛି। ଫଳରେ ଏହି ଚାରୋଟି ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମରେ ଜୁଲାଇ ୧୭ ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗୁ କରାଯାଇଛି। ହେଲେ ବ୍ୟାଙ୍କ ଖୋଲିବା ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ ସୋମବାରଠୁ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।
ନିର୍ଦ୍ଦେଶାନାମା ଅନୁଯାୟୀ, ଏହି ଚାରୋଟି ଜିଲ୍ଲା ଓ ରାଉରକେଲା ସହରରେ ସୋମବାରଠୁ ଜୁଲାଇ ୩୧ ପର୍ଯ୍ୟନ୍ତ ସକାଳ ୮ଟାରୁ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଦିନ ୧ଟା ଯାଏ ଗ୍ରାହକଙ୍କୁ ସେବା ମିଳିବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ। ପୂର୍ବରୁ ଜାରି ନିର୍ଦ୍ଦେଶାନାମାରେ ବ୍ୟାଙ୍କ ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି କୁହାଯାଇଥିଲା। ଏହା ସହିତ ବ୍ୟାଙ୍କ ଖୋଲା ରହିବାର ସମୟ ମଧ୍ୟ କମ ଥିଲା।