ବଡ଼ଦାଣ୍ଡରେ ‘ବନ୍ଦେ ଉତ୍କଳ ଜନନୀ’ ଗାନର ଅପୂର୍ବ ଦୃଶ୍ୟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍କଳକୁ ବନ୍ଦନା ତଥା ପ୍ରତିଟି ଓଡ଼ିଆଙ୍କୁ ଆତ୍ମ ବିଶ୍ଵାସ ଦେଇ ଏକତା ସୂତ୍ରରେ ବାନ୍ଧିବାର ଯେଉଁ ପରମ୍ପରା ପୁରୀରୁ ୧୯୦୮ ମସିହାରେ ଆରମ୍ଭ ହୋଇଥିଲା ତାହାର ଆଉ ଏକ ଅପୂର୍ବ ସମାବେଶ ଆଜି ଦେଖିବାକୁ ମିଳିଛି। ମୁହଁରେ ମୁଖା ଓ ସାମାଜିକ ଦୂରତ୍ଵ ରକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ପୁରୀ ବାସୀ ‘ବନ୍ଦେ ଉତ୍କଳ ଜନନୀ’ବନ୍ଦନା ଗାନ କରିଛନ୍ତି।  ଶ୍ରୀମନ୍ଦିରର ଭବ୍ୟ ପ୍ରଚ୍ଛଦ ଏବଂ ନୀଳ ଆକାଶର ଧଳା ବଉଦ ତଳେ ଶହ ଶହ ସଂଖ୍ୟାରେ ପୁରୀବାସୀଙ୍କୁ ଶୃଙ୍ଖଳା ସହକାରେ ଏହି ଅବସରରେ ଦେଖିବାକୁ ମିଳିଥିଲା।

କରୋନା ମହାମାରୀ ସମୟରେ କରୋନା ଭୁତାଣୁ ସହ ନିଷ୍ଠାର ସହ ଲଢ଼ୁଥିବା ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ‘ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ଗାନ କରିବା ଲାଗି ଅନୁରୋଧ ରକ୍ଷା କରିଥିଲେ। ଏହି ଅନୁରୋଧକୁ ରକ୍ଷା କରି ରାଜ୍ୟର ସରକାରୀ କଳଠାରୁ ଆରମ୍ଭ କରି ସାଧାରଣ ଜନତା ଯାଏ ସମସ୍ତେ ଏକାଠି ହୋଇ ଓଡ଼ିଆ ଜାତୀୟତାବାଦରେ ତଲ୍ଲୀନ ହୋଇଥିଲେ।

ଉତ୍କଳ ସମ୍ମିଳନୀର ୧୯୦୮ ପୁରୀ ସମାବେଶରେ ପ୍ରଥମକରି   ‘ବନ୍ଦେ ଉତ୍କଳ ଜନନୀ’ ବନ୍ଦନା ଗାନ କରାଯାଇଥିଲା। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ଦେଶାତ୍ମବୋଧ ଜାତୀୟତାବାଦୀ ବନ୍ଦନା ସେତେବେଳେ ଆବାଳ ବୃଦ୍ଧବନୀତାଙ୍କୁ ଆକର୍ଷିତ କରିଥିଲା। ଏହାକୁ ଧୂନରେ ସେତେବେଳେ ସଜାଇଥିଲେ ଜାତୀୟ କବି ବାଞ୍ଛାନିଧି ମହାନ୍ତି। ଆଜି ଯେତେବେଳ ପୁରୀ ବଡ଼ଦାଣ୍ଡ ଏହି ସଙ୍କଟ ସମୟରେ ଏହି ସଙ୍ଗୀତକୁ ଗାନ କରିଥିଲା ସେତେବେଳେ ପୁଣିଥରେ ସେହି ଭାବଧାରା ଲହଡ଼ିତ ହେବା ପରି ମନେ ହୋଇଥିଲା।

ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହାୟତାରେ ଏହି ସମାବେଶକୁ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *