ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି
ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି ଆରମ୍ଭ କରିବେ। ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି କରିବେ।
ପ୍ରାୟ ୪ ଘଣ୍ଟା ଧରି ଏହି ବନକ ଲାଗି ନୀତି କରାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ। ତେବେ ବନକ ଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସଂପନ୍ନ କରିବେ।
ମହାପ୍ରଭୁଙ୍କର ଏହି ବନକଲାଗି ନୀତି ହେଉଥିବାରୁ ଦତ୍ତ ମହାପାତ୍ର ସେବାୟତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ପ୍ରଥମେ ଶ୍ରୀବିଗ୍ରହମାନଙ୍କର ଅଧର ପୋଛା ପରେ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ବେଶ୍ ନିଷ୍ଠାର ସହ ଦତ୍ତ ମହାପାତ୍ର ସେବାୟତମାନେ ବନକ ପ୍ରସ୍ତୁତ କରିଥାନ୍ତି। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ବାରା ମହାପ୍ରଭୁଙ୍କ ମୁଖ ମଣ୍ଡଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଇଥାଏ। ତେବେ ଆଜି ସର୍ବସାଧାରଣ ଦର୍ଶନର ଚତୁର୍ଥ ଦିନ ହୋଇଥିବାବେଳେ ବନକଲାଗି ଏକ ଗୁପ୍ତନୀତି ହୋଇଥିବାରୁ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ।