ଉତ୍ତର-ପୂର୍ବ ଭାରତର ବିକାଶ ନେଇ ବୈଦେଶିକ ମନ୍ତ୍ରୀ ଓ ଜାପାନ ରାଷ୍ଟ୍ରଦୂତଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା

ଭୁବନେଶ୍ବର,(ଓଡିଶା ଟାଇମ୍) : କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜୁକି ଗତକାଲି ଆସାମ ଗସ୍ତରେ ଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସେମାନଙ୍କ ସହ ଉତ୍ତର-ପୂର୍ବ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତରେ ହୋଇଥିବା ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ଆଗକୁ ଅନ୍ୟ ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଏବଂ ତାଙ୍କ ଦୃଷ୍ଟିକୋଣ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଉଭୟଙ୍କୁ ଅବଗତ କରାଇଥିବା ବେଳେ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଆଜି ସକାଳେ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ, ଜାପାନ ରାଷ୍ଟ୍ରଦୂତ ତଥା ଆସାମ ନେତା ତଥା ବିଭାଗୀୟ ଅଧିକାରୀଙ୍କ ସହ ଗୌହାଟୀଠାରେ ଜାପାନ ଅନ୍ତର୍ଜାତୀୟ କର୍ପୋରେସନ ଏଜେନ୍ସି (ଜେଆଇସିଏ) ଦ୍ୱାରା ବିକଶିତ ହେଉଥିବା ଜଳ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରଠାରେ ଏକ ଜନସଭାରେ ଶ୍ରୀଯୁକ୍ତ ପଣ୍ଡା ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଏବାବଦରେ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଓ ଜାପାନ ରାଷ୍ଟ୍ରଦୂତ ସତୋଶୀ ସୁଜୁକିଙ୍କ ସମେତ ଆସାମ ଅର୍ଥ ମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା, ପରିବହନ ମନ୍ତ୍ରୀ ଚନ୍ଦ୍ରମୋହନ ପାଟୋୱାରୀ ଏବଂ ଅନ୍ୟମାନଙ୍କ ସହ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଉତ୍ତରପୂର୍ବାଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛି। ଦୀର୍ଘ ଦଶନ୍ଧି ଧରି ଯେଉଁ ବିକାଶ ଉତ୍ତର-ପୂର୍ବ ଭାରତରେ ହୋଇପାରୁନଥିଲା, ତାହା ଗତ କିଛି ବର୍ଷ ମଧ୍ୟରେ ବିଜେପି ସରକାର ସମୟରେ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଉତ୍ତର-ପୂର୍ବାଞ୍ଚଳ ତଥା ପୂର୍ବୋଦୟ ବିକାଶ ଅଭିଯାନ ପାଇଁ ନିରନ୍ତର ପ୍ରଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published.