ଆସନ୍ତା କାଲି ବାହୁଡ଼ା, ସକାଳ ୮ଟାରେ ପହଣ୍ଡି, ମଧ୍ୟାହ୍ନରେ ରଥ ଟଣା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବୁଡ଼ବାର ଅନୁଷ୍ଠିତ ହେବ। ଏଥିନେଇ ପ୍ରଶାସନ ଓ ସରକାରୀ ସ୍ତରରେ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଭଳି ବାହୁଡ଼ାଯାତ୍ରାକୁ ଭକ୍ତଶୂନ୍ୟ ଯାତ୍ରାରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ପୁରୀରେ ମଙ୍ଗଳବାର ରାତି ୧୦ଟାରୁ କର୍ଫ୍ୟୁ ଲାଗୁ କରାଯାଇଛି। ବାହୁଡ଼ା ଯାତ୍ରା ନୀତି ସକାଳ ୪ଟାରୁ ଆରମ୍ଭ ହେବ ବୋଲି ନିର୍ଘଣ୍ଟ କରାଯାଇଛି। ଏହିକ୍ରମରେ ମଧ୍ୟାହ୍ନ ୧୨ଟାରେ ରଥଟଣା ହେବ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁସାରେ ବୁଧବାର ଦିନ ମିଥୁନ ଏକାଦଶୀ ତିଥିରେ ଏଥର ବାହୁଡ଼ା ପାଳନ ହେବ। ସକାଳ ୪ଟାରୁ ମଙ୍ଗଳ ଆଳତି କରାଯିବ। ଏହାପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ସରିଲା ପରେ ସାଢ଼େ ୫ଟା ସୁଦ୍ଧା ବେଶ ସରିବ। ପରେ ଗୋପଳ ବଲ୍ଲଭ ଓ ସକାଳ ଧୂପ ଅର୍ଥାତ୍ ଖେଚୁଡ଼ି ଭୋଗ ହେବ। ଏଥିଲାଗି ୫ଟା ୪୫ରୁ ୬ଟା ୪୫ ସମୟ ନିର୍ଘଣ୍ଟ କରାଯାଇଛି।
ସକାଳ ୭ଟାରେ ସନୋପଟା ଲାଗି ହେବ। ସକାଳ ୭ଟା ୪୫ରେ ମମଙ୍ଗଳାର୍ପଣ କରାଯାଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସକାଳ ୮ଟାରୁ ୯ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ। ସାଢ଼େ ୧୦ଟା ଭିତରେ ବେଶ ଶେଷ ହୋଇ ଆରମ୍ଭ ହେବ ଛେରା ପହଁରା। ସାଢ଼େ ୧୧ଟା ଭିତରେ ଗଜପତି ମହାରାଜାଙ୍କ ଛେରା ପହଁରା କାର୍ଯ୍ୟକ୍ରମ ଶେଷ ହେବାକ୍ଷଣି ଚାରମାଳ ଫିଟା ଯାଇ ଘୋଡ଼ା ଲାଗି ହେବ। ଦିନ ୧୨ଟା ରଥ ଟଣା ହେବ। ରଥ ଟଣା ସରିବା ପରେ ଅନ୍ୟାନ୍ୟ ନୀତି ହେବ।
ଏହି ନୀତିକୁ ଶୃଙ୍ଖଳିତ ଢଙ୍ଗରେ ପାଳିତ କରିବା ଲାଗି ଏକ ଗୁରୁତ୍ଵପୂଣ୍ଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି, କୋଭିଡ୍ ନିୟମାବଳୀକୁ ପାଳନ କରି ସମସ୍ତ ରୀତି ନୀତି ଓ ପରମ୍ପରାକୁ ପାଳନ ପାଇଁ ପ୍ରଶାସନ ଯତ୍ନବାନ ରହିଛନ୍ତି। ପ୍ରଥମତଃ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ସେମାନଙ୍କ ନମୁନା କରୋନା ନେଗେଟିଭ୍ ରହିଛି।
ବାହୁଡ଼ାର ଭକ୍ତିମୟ ପରିବେଶକୁ ଆହୁରି ସ୍ମରଣୀୟ କରିବା ଲାଗି ବଡଦାଣ୍ଡରେ ଭଜନର ନିଷ୍ପତ୍ତି ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର, ରଥ ଓ ଶ୍ରୀମନ୍ଦିରରେ ଫୁଲ ସଜା ହେବ ବୋଲି ଡା, କୁମାର କହିଛନ୍ତି।
ସହରରେ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ୭୦ ପ୍ଲାଟୁନ୍ ଫୋର୍ସ ସହିତ ୪ଶହରୁ ଅଧିକ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ସେବାୟତମାନେ ଶ୍ରୀଜୀଉଙ୍କ ରଥ ଟାଣିବେ । କେବଳ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତମାନଙ୍କୁ ନିୟୋଜିତ କରିବାକୁ ସ୍ଥିର ହୋଇଛି । ପୁରୀ ସହରବାସୀ ଘରେ ରହି ଟିଭିରେ ବାହୁଡ଼ା ଯାତ୍ରା ଦର୍ଶନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ।