ମିଆଁମାର ପୂର୍ବତନ ମନ୍ତ୍ରୀ ଦୋଷୀ ସାବ୍ୟସ୍ତ
(ଓଡ଼ିଶା ଟାଇମ୍, ମିଆଁମାର): ମିଆଁମାରର ଗଣତନ୍ତ୍ର ସମର୍ଥକ ନେତ୍ରୀ ଆଙ୍ଗ ସାନ ସୁକିଙ୍କୁ ଚାରି ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର କୋର୍ଟ । ସୁକିଙ୍କ ଉପରେ କୋରୋନା କଟକଣା ଉଲ୍ଲଂଘନ କରିବା ସହ ଲୋକଙ୍କୁ ଉସୁକାଉଥିବାର ଅଭିଯୋଗ ରହିଛି । ଜଣେ ଆଇନଜୀବୀ ଏହି ଦଣ୍ଡ ବିଷୟରେ ସୁକିଙ୍କୁ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ଫେବୃଆରୀ ୧ରେ ମିଆଁମାରରେ ହିଂସା ଦେଖାଦେଇଥିଲା । ସୁକିଙ୍କ ସରକାରକୁ ହଟାଇ ସେନା ଦେଶର ଶାସନ ଡୋରିକୁ ନିଜ ହାତକୁ ନେଇଥିଲା । ସେବେଠାରୁ ୭୬ ବର୍ଷୀୟ ସୁକିଙ୍କ ବିରୋଧରେ ଅନେକ ମକଦ୍ଦମା ଚାଲୁରହିଛି । ଯେଉଁଥିରୁ ତାଙ୍କୁ ଗୋଟିଏ ଦଣ୍ଡରେ ଏବେ ଦଣ୍ଡିତ କରାଯାଇଛି । ଗତ ବର୍ଷ ନଭେମ୍ବରରେ ନିର୍ବାଚନ ପୂର୍ବରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ସୁକିଙ୍କ ସମର୍ଥକ ବହୁସଂଖ୍ୟାରେ ସାମିଲ ହୋଇଥିଲେ ।
ସମାବେଶରେ ଏତେ ସଂଖ୍ୟକ ଭିଡ଼ ହୋଇଥିବାରୁ ସୁକିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ସୁକି କୋରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ରାଜନୈତିକ ମହଲରେ କନ୍ତୁ କିଛି ଅଲଗା କଥା ଜୋର ଧରିଛି । ଆସନ୍ତା ନିର୍ବାଚନରେ ତାଙ୍କୁ ଦୂରେଇ ରଖିବା ଏବଂ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚାଯାଇଥିବା ଚର୍ଚ୍ଚା ହେଉଛି ।
ମିଆଁମାର ସମ୍ବିଧାନ ଅନୁଯାୟୀ କୌଣସି ମାମଲରେ ଦୋଷୀ ସାବ୍ୟସ୍ତ ହେଲେ ଜେଲରେ ଥିବା ବ୍ୟକ୍ତିଙ୍କର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ଅଧିକାର ନଷ୍ଟ ହୋଇଯାଇଥାଏ । ଏହା ବ୍ୟତୀତ ସେ କୌଣସି ସାମ୍ବିଧାନିକ ପଦବୀରେ ମଧ୍ୟ ବସି ପାରିବେ ନାହିଁ ।