ଘରେ ପଶି ମା’-ଝିଅଙ୍କୁ ଆକ୍ରମଣ ଘଟଣା : ଆକ୍ରମଣକାରୀ ରୂପେଶ ପଣ୍ଡାଙ୍କ ସମେତ ୨ ଗିରଫ
ଭୁବନେଶ୍ବର, (ଓଡିଶା ଟାଇମ୍): ଘରେ ପଶି ମା-ଝିଅଙ୍କୁ ଛୁରାମା଼ଡ ଘଟଣାରେ ଶେଷରେ ବନ୍ଧା ହେଲେ ରୂପେଶ ପଣ୍ଡା । କାମ ଦେଲାନି କିଛି ଚାଲ୍। ଲୁଟ ପାଇଁ ଏହି ଘଟଣା ଘଟିଥିଲା। ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ରୂପେଶ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ଆଉ କିଛି ଜଣଙ୍କୁ ପଚରାଉଚରା କରାଯାଉଥିବା କମିଶନରେଟ ପୁଲିସ୍ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ ପରିବାର ରୁହନ୍ତି। ରୂପେଶ ଗତ ୧ ତାରିଖରେ ମହିଳା ପୋଷାକ ପିନ୍ଧିବା ସହ ହେଲମେଟ ଲଗାଇ ଏକ ଛୁରୀ ଓ ବନ୍ଧୁକ ନେଇ ତାଙ୍କ କଲିଂବେଲ ମାରିଥିଲେ। ଏହି ସମୟରେ ପ୍ରଫେସରଙ୍କ ଝିଅ କବାଟ ଖୋଲିବାରୁ ରୂପେଶ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ l ଝିଅର ଚିତ୍କାର ଶୁଣି ମା’ ଚାଲି ଆସିବାରୁ ରୂପେଶ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆତ୍ମରକ୍ଷା କରିବାକୁ ଯୁବତୀ ଓ ତାଙ୍କ ମା’ ରୂପେଶଙ୍କୁ ଆକମଣ କରିଥିଲେ। ଫଳରେ ୩ ଜଣ ରକ୍ତାକ୍ତ ହୋଇଥିଲେ। ଚିତ୍କାର ଶୁଣି ପାଖରେ କାମ କରୁଥିବା ଲୋକ ଦୌଡ଼ି ଆସି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।