ଆତ୍ମନିର୍ଭର ଭାରତ-ଚାବିକାଠି କେଉଁଠି?

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ ମାସ ୧୨ ତାରିଖରେ ଦେଶ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣରେ ଆତ୍ମନିର୍ଭର ଭାରତ ବିଷୟ ଉତ୍ଥାପନ କରିଥିଲେ । ଏହା ନୂଆକଥା ନଥିଲା । ମହାତ୍ମା ଗାନ୍ଧୀ ତାଙ୍କର ପୁସ୍ତକ “ହିନ୍ଦ୍ ସ୍ୱରାଜ୍” ରେ ସ୍ୱଦେଶୀ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁ ୧୯୫୨ ମସିହାରେ ଆତ୍ମନିର୍ଭରତା ବିଷୟରେ କହିଥିଲେ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ସରକାରମାନେ ଆତ୍ମନିର୍ଭରତାର ବିଭିନ୍ନ ଦିଗ ଉପରେ କାମ କରିଆସୁଛନ୍ତି । ଆତ୍ମନିର୍ଭରତାର ଅର୍ଥ ନୁହେଁ ଅନ୍ୟ ଦେଶ ପାଇଁ ଆମର ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ କରିବା । କିନ୍ତୁ ସମସ୍ୟା ବହୁଳ ଆମ ଦେଶରେ ବିଭିନ୍ନ କାରଣ ଯୋଗୁ ଅନେକ ଦିଗରେ ଆତ୍ମନିର୍ଭରଶୀଳତା ଆମେ ହାସଲ କରିପାରିନାହୁଁ । ବରଂ ଧୀରେ ଧୀରେ ପଡ଼ୋଶୀ ଦେଶ ଚୀନ ଉପରେ ଆମର ନିର୍ଭରତା ବିଗତ ବର୍ଷମାନଙ୍କରେ ଅନେକ ଗୁଣରେ ବୃଦ୍ଧି ପାଇଛି । ଚୀନ ବର୍ତ୍ତମାନ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ଯୋଗୁଁ ଏବଂ ଭାରତ ସହ ଏହି ଦେଶର ବିଭିନ୍ନ ବିବାଦ ରହୁଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କର ଏହି ଡାକରା ସମୟୋପଯୋଗୀ । ଏବଂ କରୋନା ମହାମାରୀ ଭଳି ପରିସ୍ଥିତି ଉପୁଜିଲେ ଆତ୍ମନିର୍ଭରଶୀଳତା ଦେଶର କ୍ଷତିକୁ ରୋକିପାରିବାର ଅଧିକ ସମ୍ଭାବନା ଥିବା ଯୋଗୁଁ ସାମ୍ପ୍ରତିକ ପରିସ୍ଥିତିରେ ଏଭଳି ଏକ ଉଦ୍ୟମ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ଆତ୍ମନିର୍ଭରଶୀଳତା ଏକ ଦେଶ ପାଇଁ ସବୁ ସମୟରେ ଏକ ଉତ୍ତମ ଲକ୍ଷ୍ୟ ଏବଂ ଏହାକୁ ହାସଲ କରିବା ପାଇଁ ଦେଶର ସମସ୍ତ ଶକ୍ତି ପ୍ରୟୋଗ କରାଯିବା ମଧ୍ୟ ଆବଶ୍ୟକ । ବର୍ତ୍ତମାନ ପରିସ୍ଥିତିରେ ଏହାକୁ ଆମେ ହାସଲ କରିବା କେମିତି?
ତେଣୁ ପ୍ରଥମ ପ୍ରଶ୍ନ ହେଉଛି, ଆତ୍ମନିର୍ଭରଶୀଳତା କଣ ଏବଂ କେଉଁ ସବୁ ଦିଗମାନଙ୍କରେ ଏହା ହାସଲ କରାଯିବା ନିତାନ୍ତ ଆବଶ୍ୟକ । ଆସନ୍ତୁ ଏସବୁ ଦିଗଗୁଡ଼ିକ ତର୍ଜମା କରି ଦେଖିବା ଏବଂ ଜାଣିବା ଏହାର ମୁଖ୍ୟ ଚାବିକାଠି ଅଛି କେଉଁଠି?
ଆମେ ଦୈନନ୍ଦିନ ଜୀବନରେ ଅନେକ ସାମଗ୍ରୀ ଓ ସେବା ଦରକାର କରୁ । ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ପଦାର୍ଥ, ଶିଳ୍ପ ଆଦି ଆମର ଚାହିଦାକୁ ପୁରଣ କରିଥାଏ । ଆମ୍ଭ ଜୀବନରେ ଏତେ ପ୍ରକାରର ବା ପରିମାଣର ସାମଗ୍ରୀ ବା ସେବା ଦରକାର ହେଲାଣି ଯେ, ତାହାର ଗଣନା ଅସମ୍ଭବ । ଏସବୁ ସାମଗ୍ରୀ ବା ସେବା ସମ୍ପୂର୍ଣ୍ଣ ପରିମାଣରେ ଆମ ଦେଶରେ ଆମେ ଉତ୍ପାଦନ କରିପାରୁ ନାହୁଁ । ଅନେକ ସାମଗ୍ରୀ ବିଦେଶରୁ ଆମକୁ ଆମଦାନୀ କରିବାକୁ ପଡ଼େ । ଏବଂ ଆମେ ବିଦେଶକୁ ଅନେକ ଜିନିଷ ରପ୍ତାନୀ ମଧ୍ୟ କରୁ । କିନ୍ତୁ ଏଭଳି ଏକ ଘଡ଼ିସନ୍ଧି ମୂହୂର୍ତ୍ତରେ ଆମେ ନିଜର ଚାହିଦାକୁ ସଂକୁଚିତ କରି କଣ ଜୀବନଧାରଣ କରିପାରିବା ନାହିଁ? ଯଦି ଆମେ ଚାହିଦା ହ୍ରାସ କରିପାରିବା ଆମ ଦେଶର ଅନ୍ୟ ଦେଶମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ଏହା ଆତ୍ମନିର୍ଭରଶୀଳତାର ଏକ କ୍ଷୁଦ୍ର ଦିଗ । କିନ୍ତୁ ବଡ଼ ଦିଗ ଗୁଡ଼ିକ ହେଉଛି କିଭଳି ଆମର ଚାହିଦା ଅନୁଯାୟୀ ବିଭିନ୍ନ ସାମଗ୍ରୀ ଓ ସେବା ଆମ ଦେଶ ମଧ୍ୟରେ ଉତ୍ପାଦନ ହୋଇପାରିବ ଏବଂ ଏସବୁ ଦେଶରେ ନହେବା ପର୍ଯ୍ୟନ୍ତ ଆମେ ଅନ୍ୟ ଦେଶରୁ ଆମଦାନୀ କରି ଜିନିଷ ବ୍ୟବହାର କରିବାର ପ୍ରବୃତ୍ତିରେ ଅଙ୍କୁଶ ଲଗାଇବା । ଅତ୍ୟଧିକ ଆବଶ୍ୟକ କିମ୍ବା ଜୀବନ ରକ୍ଷାକାରୀ ସାମଗ୍ରୀ ସମ୍ବନ୍ଧରେ ଏହା ପ୍ରଯୁଜ୍ୟ ନୁହେଁ ।
ସ୍ୱଚ୍ଛନ୍ଦରେ ଜୀବନ ଧାରଣ କରିବା ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ପଦାର୍ଥ, ବିଜୁଳି, ପାଣି, ରାସ୍ତା ଘାଟ, ଜମି, ଏବଂ ଘରେ ବ୍ୟବହୃତ କିଛି ସାମଗ୍ରୀ ଆବଶ୍ୟକ । ସେବା ଯୋଗାଇ ଦେବା ପାଇଁ ଡାକ୍ତର, ଚାଷୀ, ବିଜୁଳୀ କର୍ମୀ, ଇଞ୍ଜିନିୟର, ଶିକ୍ଷକ, ଆଦି ପେଷାଦାର ବ୍ୟକ୍ତି ମଧ୍ୟ ଦେଶରେ ଆବଶ୍ୟକ । ଆମ ଦେଶରେ ଯୁବ ଶକ୍ତିର ଅଭାବ ନାହିଁ । ଦେଶରେ ଚାଷ ଜମି, ପାଣି, ଖଣିଜ ସମ୍ପଦ ଇତ୍ୟାଦିରେ ଅଭାବ ମଧ୍ୟ ନାହିଁ । ତେଣୁ ଆତ୍ମନିର୍ଭରଶୀଳତା ଏପର୍ଯ୍ୟନ୍ତ ଆସି ନାହିଁ କାହିଁକି? ଏଥିପାଇଁ ନୀତି, ନିୟମ, ଲୋକମାନଙ୍କର ଇଚ୍ଛାଶକ୍ତିର ଅଭାବ, ସ୍ଥାଣୁତା, କାର୍ଯ୍ୟଦକ୍ଷତାର ଅଭାବ, ଆଦି ଅନେକ କାରଣ ଦାୟୀ । ତେଣୁ ଏସବୁ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ । ଯଦି ଏସବୁ ଆମ ମଧ୍ୟକୁ ଆସିଯିବ, ତେବେ ଆତ୍ମନିର୍ଭରତା ପାଇଁ ଖୁବ ଶିଘ୍ର ବା ସ୍ୱଳ୍ପମିଆଦୀ ସୂତ୍ରରେ ଆମକୁ କଣ କରିବାକୁ ପଡ଼ିବ?
ଏଥିପାଇଁ ଆମକୁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟପଦାର୍ଥ, କ୍ରୃଷି ଓ କ୍ଷୁଦ୍ର ଶିଳ୍ପ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଅନ୍ୟାନ୍ୟ ଆବଶ୍ୟକ ଚାହିଦା ମଧ୍ୟ ରହିଛି । କିନ୍ତୁ ସେସବୁ ଆମ ପାଖରେ କିଛି ମାତ୍ରାରେ ରହିଛି କିମ୍ବା ଆତ୍ମନିର୍ଭରଶୀଳତା ଆଣିବା ପାଇଁ ଅନ୍ୟ ଅଣଆବଶ୍ୟକୀୟ ସାମଗ୍ରୀ ଓ ସେବା ଉପରେ ଚାହିଦା ଏବେ ହ୍ରାସ କରିବା ଆବଶ୍ୟକ ।
ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଆମ ଦେଶରେ ଥିବା ଯେଉଁ ମାନବ ସମ୍ବଳ ଓ ଅନ୍ୟାନ୍ୟ ସମ୍ବଳ ରହିଛି ତାକୁ ସୂଚାରୁ ରୂପେ ପରିଚାଳନା ଆବଶ୍ୟକ ଏବଂ ତାହା ଫଳରେ ଯେଉଁ କ୍ଷେତ୍ରରେ ମାନବ ସମ୍ବଳ କମ୍ ରହିଛି ତାକୁ ତାହା ଆଗାମୀ ୨-୩ ବର୍ଷ ମଧ୍ୟରେ ମେଣ୍ଟା ଯାଇପାରିବ ।
ଖାଦ୍ୟ ପଦାର୍ଥ ଓ ଶିଳ୍ପ ସାମଗ୍ରୀ ପାଇଁ କୃଷି ଏବଂ କୃଷି ଭିତ୍ତିକ ଅନ୍ୟାନ୍ୟ କାର୍ଯ୍ୟକଳାପ ଏବଂ କ୍ଷୁଦ୍ରଶିଳ୍ପ ଉପରେ ବିଷେଶ ଧ୍ୟାନ ଦିଆଗଲେ ଅତି କମ୍ ସମୟ ମଧ୍ୟରେ ଅନେକ କିଛି ଖାଦ୍ୟ, ସେବା ଓ ସାମଗ୍ରୀ ଉତ୍ପାଦନ ହୋଇପାରିବ । ଵ୍ରୁହତ ଶିଳ୍ପର ପ୍ରସାର ଉପରେ ମଧ୍ୟ ଏହାର ଭଲ ପ୍ରଭାବ ଆପଣା ଛାଏଁ ପଡ଼ିବ । କାହିଁକି ନା, ଏହି ଦୁଇଟି ଯାକ କ୍ଷେତ୍ର ମଧ୍ୟରେ ଅନେକ ତାଳ ମେଳ ଏବଂ ପରଷ୍ପର ନିର୍ଭରଶୀଳତା ଆରମ୍ଭ ରୁ ରହି ଆସିଛି ।
ଏସବୁ ବିଷୟକୁ ଧ୍ୟାନ ଦେଲେ ଜଣାପଡିବ, ଯଦି ଶୀଘ୍ର ଆତ୍ମନିର୍ଭରଶୀଳତା ଆଣିବା ଆମର ଲକ୍ଷ୍ୟ, ତେବେ ତାହାର ଚାବିକାଠି ରହିଛି, କୃଷି ଏବଂ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ର ଉପରେ । ତେଣୁ ଆମର ପ୍ରଚେଷ୍ଟା ଓ ସମ୍ବଳର ବିନିଯୋଗ ଆଗାମୀ ଦିନ ମାନଙ୍କରେ ସେହି ଅନୁଯାୟୀ ହେବା ଆବଶ୍ୟକ ।
ଲେଖକ ଜଣେ ସାମାଜିକ କର୍ମୀ ଓ ସ୍ତମ୍ଭକାର। ତାଙ୍କୁ ସମ୍ପର୍କ କାରିବା ପାଇଁ ମୋବାଇଲ୍ ନମ୍ବର: ୯୯୩୭୧୦୦୫୪୯