ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣା; ୨୦ ଭାରତୀୟ ଯବାନ ସହିଦ !

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ  ହୋଇଥିବା ବଡ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜଣେ ଅଧିକାରୀ ଏବଂ ଦୁଇ ଜଣ ଯବାନ ସହିଦ୍ ହୋଇଥିବା କୁହାଯାଉଥିଲା। ହେଲେ ଏବେ ବିଭିନ୍ନ ଜାତୀୟ ଗଣମାଧ୍ୟମର ସୂତ୍ର ଅନୁଯାୟୀ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ହାତାହାତିରେ ୨୦ ଭାରତୀୟ ସୈନିକ ସହିଦ ହୋଇଛନ୍ତି। ଅନ୍ୟପଟେ ଚୀନର ମଧ୍ୟ ବହୁତ କ୍ଷତି ଘଟିଛି। ଚୀନର ୪୩ ସୈନିକ ନିହତ ହୋଇଥିବା ଏଏନଆଇ ସୂତ୍ରକୁ ନେଇ ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ହିମାଚଳ ପ୍ରଦେଶରେ ଚୀନ ସୀମା ନିକଟରେ ହାଇଆଲର୍ଟ ଜାରି କରାଯାଇଛି।

ଅନ୍ୟପକ୍ଷରେ ଘଟଣାକୁ ନେଇ ଚୀନ୍ ଓଲଟା ଭାରତ ଉପରେ ଦୋଷ ଲଦିଛି। ସେପଟେ ଭାରତ ଚୀନ ସୀମା ସଂଘର୍ଷରେ ସହିଦ ହୋଇଥିବା  ୩ ଭାରତୀୟ ଯବାନଙ୍କ ପରିଚୟ ମିଳିଛି। ବିହାର ରେଜିମେଣ୍ଟର କର୍ଣ୍ଣେଲ ବି. ସନ୍ତୋଷ ବାବୁ ସହିଦ ହୋଇଛନ୍ତି। ଏହାକୁ ନେଇ ତେଲେଙ୍ଗାନା ସୂର୍ଯ୍ୟାପେଟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ତାମିଲନାଡୁର ହାବିଲଦାର ପାଲାନି ଓ ଝାଡ଼ଖଣ୍ଡର ସିପାହୀ କୁନ୍ଦନ ଓଝା ସହିଦ ହୋଇଛନ୍ତି।

ଗଲଓ୍ୱାନ ଉପତ୍ୟକାରେ ଭାରତୀୟ-ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି।

ଗତକାଲି ରାତିରେ ଚୀନ୍ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା-LACର ଯଥା ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତୀୟ ସେନା ତୀବ୍ର ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ପରେ ଏହା ଉଗ୍ରରୂପ ନେବା ସହ ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ସୈନ୍ୟମାନେ ମୃତାହତ ହୋଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଯଦି ଉଚ୍ଚସ୍ତରରେ ଚାଲିଥିବା ରାଜିନାମାକୁ ଚୀନ୍ ପକ୍ଷ ସମ୍ମାନ ଦେଇଥାନ୍ତା ତେବେ ଏଭଳି ସ୍ଥିତି ଉପୁଜି ନ ଥାନ୍ତା ବୋଲି ମନ୍ତ୍ରାଳୟ କହିଛି।

ଏଥିସହିତ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଭାରତ ସର୍ବଦା LACର ଭାରତୀୟ ପଟରେ ନିଜର କାର୍ଯ୍ୟକଳାପ ଚଳାଇ ଆସିଛି। ଚୀନ୍ ମଧ୍ୟ ତାଙ୍କ ପକ୍ଷରେ ଏହା କରୁ ବୋଲି ଆମେ ଚାହୁଁ। ଭାରତ ସବୁବେଳେ ସୀମାରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ସହ ଆଲୋଚନା ଜରିଆରେ ମତଭେଦର ସମାଧାନ କରିବା ଉପରେ ଗୁରୁତ୍ୱ ଦେଇ ଆସୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.