ଆସାମରେ ବନ୍ୟା ସ୍ଥିତ ଗମ୍ଭୀର; ୬ ଲକ୍ଷରୁ ଅଧିକ ପ୍ରଭାବିତ, ୪୨ ମୃତ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ସ୍ଥିତି ବିଗିଡିବାରେ ଲାଗିଛି । ଯାହା ଫଳରେ ଆସାମରେ ବନ୍ୟା ଯୋଗୁଁ ୨୦ ଜିଲ୍ଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବା ସହ ୪୨ ଜଣକଙ୍କ ମୃତ୍ୟୁ ହୋଇଛି ।

କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଦୈନିକ ରିପୋର୍ଟ ଅନୁଯାୟୀ ବନ୍ୟା କାରଣରୁ କୋକରାଝର କୋକରାଝର ଜଣେ ଏବଂ ଧୁବରି ଅଞ୍ଚଳରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ସୂଚନା ମିଳିଛି । ଏହି ବନ୍ୟା କାରଣରୁ ଆସାମରେ ଏଯାଏଁ ୪୨ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ ୨୦ ଜିଲ୍ଲାର ପାଖାପାଖି ୧୧୦୯ ଗ୍ରାମର ପ୍ରାୟ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ପାଖାପାଖି ୪୬,୦୦୦ ହେକ୍ଟର ଜମି ମଧ୍ୟ ବନ୍ୟା ଜଳ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।

ଆହୁରି ମଧ୍ୟ ଚରାଇଦେବ, ବିଶ୍ୱନାଥ, ବକ୍ସା, ନାଲବରୀ, ଚିରଙ୍ଗ, କୋକରାଝର, ଗ୍ୱାଲାପାରା, ମୋରିଗାଁଓ, ଗୋଲାଘାଟ, ଟିନସୁକିଆ ଓ ନାଗାଓଁ ଜିଲ୍ଲାରେ ବନ୍ୟା କାରଣରୁ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ଏହାଛଡା ବ୍ରହ୍ମପୁତ୍ର ନଦୀ ସମେତ ବୁରହି ଡେହିଙ୍ଗ, ଦିସାଙ୍ଗ, ଧନସିରି, ଜିଆ ଭାରଲି, ପୁଥିମାରି, ବେକି ଓ ଗୁରାଙ୍ଗ ନଦୀର ଜଳସ୍ତର ବିଭିନ୍ନ ସ୍ଥାନରେ ବିପଦ ସଙ୍କୁଳ ସ୍ଥିତିରେ ରହିଛି ।

କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ୯ ଜିଲ୍ଲାରେ ୯୨ ରିଲିଫ୍ କ୍ୟାମ୍ପ କରାଯାଇଛି । ସେଥିମଧ୍ୟରେ ୮,୪୭୪ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ନ୍ୟାସନାଲ ଡିଜାଷ୍ଟର ରେସପୋନ୍ସ ଫୋର୍ସ ଓ ଷ୍ଟେଟ୍ ଡିଜାଷ୍ଟର ରେସପୋନ୍ସ ଟିମ୍ ନିୟୋଜିତ ହୋଇଛନ୍ତି ।

Leave a Reply

Your email address will not be published.