ଶ୍ରୀମନ୍ଦିରର ଅନୁଧ୍ୟାନ କଲେ ଏଏସଆଇ ଟିମ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଏଏସଆଇର ଟିମ୍ ଅନୁଧ୍ୟାନ କରିଛନ୍ତି । ଏଏସଆଇ ସୁପରିଟେଣ୍ଡଣ୍ଟ ଅରୁଣ କୁମାର ମଲ୍ଲକିଙ୍କ ନେତୃତ୍ବରେ ଏହି ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ୟ୍ୟର ଅନୁଧ୍ୟାନ କରିଛନ୍ତି । ବିଶେଷ କରି ସ୍ନାନମଣ୍ଡପ, ନାଟମଣ୍ଡପ ଓ ଜଗମୋହନ କାର୍ୟ୍ୟର ଅନୁଧ୍ୟାନ କରିଛି ଟିମ୍ । ଆଗକୁ ରଥଯାତ୍ରା ଥିବାରୁ ଏଭଳି ରୁଟିନ୍ ଯାଞ୍ଚ ଚାଲିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି ।
ସ୍ନାନମଣ୍ଡପରେ ୬୦ରୁ ଅଧିକ ଖଣ୍ଡଲାଇଟ୍ ପଥର ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହି ସମସ୍ତ ପଥର ପରିବର୍ତ୍ତନ କରାଯାଇଛି । ଏଏସଆଇ ସୁପରିଟେଣ୍ଡଣ୍ଟ ଆଜି ଏହି କାର୍ୟ୍ୟ ବୁଲି ଦେଖିଛନ୍ତି । ସ୍ନାନମଣ୍ଡପରେ ଆଉ କୌଣସି କାର୍ୟ୍ୟ ବାକି ନାହିଁ । ସେହିପରି ନାଟମଣ୍ଡପ ବିମ୍ ରେ ସୃଷ୍ଟି ହୋଇଥିବା ଫାଟ ଓ ନାଟମଣ୍ଡପର ଆବଶ୍ୟକ ମରାମତି କାର୍ୟ୍ୟ ମଧ୍ୟ ଅନୁଧ୍ୟାନ କରିଛି ଟିମ୍ । ଶ୍ରୀମନ୍ଦିର କୋର କମିଟି ଓ ବିଶେଷଜ୍ଞ କମିଟିର ଯାଞ୍ଚ ଓ ଅନୁଧ୍ୟାନ ପରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ଆବଶ୍ୟକ ମରାମତି କାର୍ୟ୍ୟ ଜାରି ରହିବ ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି ।
ଗତକାଲି ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏ ସମ୍ପର୍କରେ ସୂଚନା ଦେଇ ଗଜପତି ମହାରାଜା କହିଥିଲେ, ଯାତ୍ରୀ ଓ ଭକ୍ତଙ୍କ ବିନା ଅନୁପସ୍ଥିତିରେ ରଥଯାତ୍ରା ହେବ ।