ଆର୍ୟନ ଖାନଙ୍କୁ ମିଳିଲା କୈଦୀ ନମ୍ବର ୯୫୬

ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସମସ୍ୟା ଥମିବାର ନାଁ ନେଉନି। ଅକ୍ଟୋବର ୧୪ରେ କୋର୍ଟ ତାଙ୍କ ଜାମିନ ଶୁଣାଣି କରିଥିଲେ। ହେଲେ ନାମଞ୍ଜୁର କରିବା ଯୋଗୁ ତାଙ୍କୁ ଆର୍ଥର ରୋଡ ଜେଲକୁ ଯିବାକୁ ପଡିଛି। ଏବେ ତାଙ୍କୁ କୈଦୀ ନମ୍ବର ମଧ୍ୟ ମିଳିସାରିଲାଣି। ତାଙ୍କର ଆଗାମୀ ଜାମିନ ଶୁଣାଣି ଅକ୍ଟୋବର ୨୦ ତାରିଖରେ ହେବ। ସେ ପର୍ଯ୍ୟନ୍ତ ଆର୍ୟନଙ୍କୁ ଏବେ ଜେଲରେ ବିତାଇବାକୁ ପଡିବ।

ଆର୍ୟନଙ୍କ ଜାମିନ ନିବେଦନର ଶୁଣାଣି ଗୁରୁବାର ମୁମ୍ବାଇ ସେସନ କୋର୍ଟରେ ହୋଇଥିଲା। କୋର୍ଟ ମାମଲାରେ ନାରକୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଓ ଆର୍ୟନଙ୍କ ଓକିଲ ରଖିଥିବା ତର୍କ ଶୁଣିଥିଲେ। ହେଲେ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୨୦ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ଏଣୁ ଆର୍ୟନଙ୍କୁ ଜେଲ ଫେରାଇ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଗୁରୁବାର କୈଦୀ ନମ୍ବର ଦେଇ ଦିଆଯାଇଛି। ଆର୍ଥର ରୋଡ ଜେଲରେ ଆର୍ୟନ ଏବେ ୯୫୬ ନମ୍ବର ବନ୍ଦୀ। ଗତ ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇରୁ ଗୋଆ ଯାଉଥିବା ଏକ ବିଳାଶମୟ କ୍ରୁଜରେ ରେଭ ପାର୍ଟି ଚାଲିଥିବା ବେଳେ ଏନସିବି ଚଢଉ ପଡିଥିଲା। ଏଥିରେ ଏନସିବି ଅଧିକାରୀଙ୍କ ହାତରେ ଧରାପଡିଥିବା ଲୋକଙ୍କ ମଧ୍ୟରେ ବଲିଉଡ କିଙ୍ଗଖାନଙ୍କ ପୁଅ ଆର୍ୟନ ଖାନ ଥିବା ଜଣାପଡିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। କ୍ରୁଜରେ ଚାଲିଥିବା ପାର୍ଟିରୁ ଏନସିବି ନିଷିଦ୍ଧ ନିଶା ମଧ୍ୟ ଜବତ କରିଥିଲା। ଏଣୁ ମାମଲା ଗୁରୁତର ହୋଇଯାଇଛି।

Leave a Reply

Your email address will not be published. Required fields are marked *