ଏଲଓସିରେ ଅନୁପ୍ରବେଶ ବନ୍ଦ ରହିଛି’: ଡ୍ରୋନ୍ ଆକ୍ରମଣକୁ ନେଇ ଏମିତି କହିଲେ ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଜାମ୍ମୁକାଶ୍ମୀରରେ ଡ୍ରୋନ୍ ଆକ୍ରମଣ ବଢ଼ିବା ପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ଲଗାତାର ସ୍ଥିତି ଉପରେ ନଜର ମଧ୍ୟ ରଖିଛନ୍ତି । ତାଙ୍କ ମତରେ ଡ୍ରୋନ୍ର ସହଜ ଉପଲବ୍ଧତା ଏବେ ସୁରକ୍ଷା ବ୍ୟବସ୍ଥା ପ୍ରତି ଆହ୍ବାନ ସୃଷ୍ଟି କରିଛି। ଏମିତି ସବୁ ଆହ୍ବାନକୁ ମୁକାବିଲା କରିବା ପାଇଁ ଭାରତୀୟ ସେନା ନିଜର କ୍ଷମତା ବଢ଼ାଉଛି । ଖୋଦ ଦେଶ ତିଆରି କରୁଥିବା କିମ୍ବା ପ୍ରାୟୋଜିତ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ବୋଲି ଜେନେରାଲ ନରଓ୍ବାଣେ କହିଛନ୍ତି।
ଏକ ଥିଙ୍କ୍ ଟ୍ୟାଙ୍କକୁ ସମ୍ବୋଧିତ କରି ସେ କହିଛନ୍ତି, ପ୍ରତିରକ୍ଷା ବିଭାଗ ସମସ୍ତ ପ୍ରକାର ଆହ୍ବାନକୁ ନେଇ ଅବଗତ ଅଛି। ଏସବୁ ମୁକାବିଲା ପାଇଁ ପୂର୍ବରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ କିଛି ଦିନରେ ଜାମ୍ମୁରେ ଥିବା ବାୟୁସେନା ଏୟାରବେସ୍ରେ ଡ୍ରୋନ୍ ଆକ୍ରମଣ ହେବା ପରେ ସ୍ଥଳ ସେନା ମୁଖ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ବାୟୁସେନା ଏୟାରବେସ୍ ବ୍ୟତୀତ ଜାମ୍ମୁ ଏବଂ ସାମ୍ବାରେ କିଛି ସୈନ୍ୟ ଠିକଣା ପାଖାପଖି ଡ୍ରୋନ୍ ଦେଖିବାକୁ ମିଳିଥିଲା।
ସେନା ପ୍ରମୁଖ କହିଛନ୍ତି, ‘ବିପଦ ସହ ମୁକାବିଲା କରିବାକୁ ଆମେ କ୍ଷମତା ବିକାଶ କରୁଛୁ। ଡ୍ରୋନ୍ ଆକ୍ରମଣ ସହ ଲଢ଼ିବାକୁ ଆମେ ପ୍ରସ୍ତୁତ ହେଉଛୁ।’ ଏହା ସହ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ବିରାମ ନେଇ ବୁଝାମଣା ହେବା ପରେ ନିୟନ୍ତ୍ରଣ ରେଖାରେ କୌଣସି ପ୍ରକାର ଅନୁପ୍ରବେଶ ହୋଇନାହିଁ। ଏଥିପାଇଁ କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା କମ ଅଛି ବୋଲି ସେ କହିଛନ୍ତି ।
ଶାନ୍ତି ଏବଂ ପ୍ରଗତି ପ୍ରକ୍ରିୟାକୁ ବାଧିତ କରୁଥିବା ତତ୍ତ୍ବ ସବର୍ଦା ରହିବେ ବୋଲି ସେ କହିଛନ୍ତି । ଜାମ୍ମୁକାଶ୍ମୀରରେ ଆତଙ୍କବାଦ ନିରୋଧୀ ଏବଂ ଅନୁପ୍ରବେଶ ପ୍ରତିହତ ପାଇଁ ମଜଭୁତ ତନ୍ତ୍ର ରହିଛି। ଶାନ୍ତି ଏବଂ ବିକାଶ ସୁନିଶ୍ଚିତ କରିବା ପାଇଁ ଆମର ଅଭିଯାନ ଜାରି ରହିବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ଏମ ଏମ ନରଓ୍ବାଣେ ।