“ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାରେ ଗର୍ଭବତୀ ମା ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ସୁନ୍ଦରଗଡ଼, (ଓଡିଶା ଟାଇମ୍) :ନ୍ଦରଗଡ଼ ଜିଲ୍ଲାରେ “ମାତୃଜ୍ୟୋତି\’ କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମା ମାନଙ୍କ ପାଇଁ “ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଆଜିଠାରୁ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ ବିଭିନ୍ନ ଘରୋଇ ଚିକିତ୍ସା କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ସୋମବାର ଦିନ ବିଧିବଦ୍ଧ ଭାବରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଏଡିଏମଓ ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଡିଏସଡବ୍ଲ୍ୟୁଓ ଶ୍ରୀମତୀ ପ୍ରତିଭା ଦାସ, ଡିପିଏମ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ଓ ସିଡିପିଓ ଶ୍ରୀମତୀ କାମିନୀ ଦ୍ୱିବେଦୀଙ୍କ ସମେତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବାର ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ  ମାତୃଜ୍ୟୋତି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହା ଜରିଆରେ ଗର୍ଭାବସ୍ଥାରେ ୪ ଥର ଅଲଟ୍ରାସାଉଣ୍ଡ ପରୀକ୍ଷା ସୁନିଶ୍ଚିତ କରାଯିବ । ଜିଲ୍ଲାର ସମସ୍ତ ଗର୍ଭବତୀ ମା କିପରି ମାଗଣାରେ ଏହି ସେବା ପାଇ ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏ କ୍ଷେତ୍ରରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବଡ଼ ଭୂମିକା ନିର୍ବାହ କରୁଛନ୍ତି , ଏହି ଅବସରରେ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।

“ମାତୃଜ୍ୟୋତି ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳା ଏହି ସେବା ପାଇ ପାରିବେ । ଏଥିପାଇଁ ୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ ମିଶି ପ୍ରାୟ ୫୦ଟି କେନ୍ଦ୍ରକୁ ଅନୁବନ୍ଧିତ କରାଯାଇଛି ।

ମୋର ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଆମ ଅଙ୍ଗନବାଡ଼ି ଦିଦି ମତେ ଘରୁ ଗାଡ଼ିରେ ଆଣିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମାଗଣାରେ ମୋର ପରୀକ୍ଷା ହୋଇଛି । ମୋ ଭଳି ବହୁ ମହିଳା ଜିଲ୍ଲା ପ୍ରଶାସନର ଏହି ଯୋଜନାରୁ ବିଶେଷ ସୁବିଧା ପାଇବେ କହିଛନ୍ତି ହିତାଧିକାରୀ ମହିଳା ଗୀତାଞ୍ଜଳି ମାଝି ।

ପୂର୍ବରୁ ଆମେ ମମତା ଦିବସରେ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଅଲଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଉଥିଲୁ । ହେଲେ ବିଭିନ୍ନ କାରଣ ପାଇଁ ହୁଏତ ଅନେକ ମା ପରୀକ୍ଷା କରିପାରୁ ନଥିଲେ । ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ପରୀକ୍ଷା ମାଗଣାରେ ହେଉଥିବାରୁ ଆମେ ଗର୍ଭବତୀ ମହିଳାଙ୍କୁ ବୁଝାଇ ନିର୍ଦ୍ଧାରିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଏହି ସେବା ପ୍ରଦାନ ଲାଗି ବ୍ୟବସ୍ଥା କରୁଛୁ’, କହିଛନ୍ତି ଭେଡ଼ାବାହାଲର ଆଶା କର୍ମୀ କିଶେରି ପେରୁଆ ।

ଏଏନସି ସେବାକୁ ସୁବିଧାଜନକ କରିବା ଲାଗି ଗର୍ଭବତୀ ମା\’ମାନଙ୍କ ପାଇଁ ପରିବହନ, ଖାଇବା ପିଇବା ବ୍ୟବସ୍ଥା ସହ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ପାଇଁ ଡିଏମଏଫ୍ ପାଣ୍ଠିରୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଉଛି ।

Leave a Reply

Your email address will not be published.