ଭୁବନେଶ୍ୱରରୁ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର
ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି । ଏଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୨ଟି ଆକ୍ଟିଭ୍ କେସ୍ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ହୋମ୍ କ୍ୱାରେଣ୍ଟିନରୁ ୨ଜଣ ଓ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଡୁମୁଡୁମାରେ ଜଣେ ୪୮ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ବ୍ୟକ୍ତି ନିକଟରେ ଗଞ୍ଜାମ ଯାଇଥିଲେ । ସେହିପରି ଭୀମପୁର ଓ ଭରତପୁରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ଜଣ ଯାକ ଦିଲ୍ଲୀ ଫେରନ୍ତା ହୋମ୍ କ୍ୱାରେଣ୍ଟିନରେ ଥିଲେ ।
ଏହାସହ ଭୁବନେଶ୍ୱର ଜାଗମରାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜାଗମରା ଅଞ୍ଚଳର ୩୫ ବର୍ଷ ବୟସ୍ତ ଯୁବକ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।