କୃଷି ଆଇନକୁ ବିରୋଧ କରି ଟିକରୀ ସୀମାରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀର ଟିକରୀ ସୀମାରେ ଦୀର୍ଘଦିନ ଧରି ଚାଷୀମାନେ ଧାରଣାରେ ବସି ରହିଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଜିଦରେ ଅଡିବସିଛନ୍ତି ଚାଷୀ । ଏହାରି ମଧ୍ୟରେ ଟିକରୀ ବର୍ଡରରେ ଧାରଣାରତ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଧାରଣାସ୍ଥଳଠାରୁ ପ୍ରାୟ ୭ କିମି ଦୂର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉକ୍ତ ଚାଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ମୃତକ ହେଉଛନ୍ତି ହରିୟାଣା ହିସାର ଜିଲ୍ଲାର ରାଜବୀର ସିଂହ ଏବଂ ତାଙ୍କର ବୟସ ୪୯ ବର୍ଷ । ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଚାଷୀ ପ୍ରଥମେ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ମୃତ ଚାଷୀଜଣକ ନୂଆ କୃଷି ଆଇନକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି । ଏହା ସହିତ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ ।
ଚିଠିରେ ରାଜବୀର ଲେଖିଛନ୍ତି, ‘କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ନିରସ୍ତ୍ର କରିବା ମୋର ଶେଷ ଇଚ୍ଛା । ଏହାକୁ ପ୍ରତ୍ୟାହାର କଲେ ଆତ୍ମା ଶାନ୍ତି ପାଇବ ।’ ତେବେ ଚାଷୀଙ୍କ ଆତ୍ମହତ୍ୟା ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀ ଆତ୍ମହତ୍ୟା କରିଥିବା ନଜିର ରହିଛି ।
ଏହା ପୂର୍ବରୁ ଟିକରୀ ସୀମାରେ ଆନ୍ଦୋଳନରତ ଜଣେ ଚାଷୀ ବିଷାକ୍ତ ପଦାର୍ଥ ଖାଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।