ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୬ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବରରୁ ଆଜି ଆଉ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୬ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଛି । ଏଥିମଧ୍ୟରୁ ୧୮୫ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩୦ଟି ଆକ୍ଟିଭ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ୬ ସଂକ୍ରମିତଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ସେହିପରି ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଚିହ୍ନଟ ହୋଇଥିବା ୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟାଇନ୍ ରେ ରହିଥିଲେ । ସଂକ୍ରମିତ ଜଣଙ୍କ ଜଣେ ରେଳ କର୍ମଚାରୀ । କିଛି ଦିନ ତଳେ ସେ ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ ରହିଥିଲେ । ସେହିଭଳି ଆଜି ଭୁବନେଶ୍ବରରେ ୫ଜଣ ସ୍ଥାନୀୟ ସଂକ୍ରମତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶିରିପୁର ଲକ୍ଷ୍ମିପୁର ବସ୍ତିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ମହିଳା ଏବଂ ଜଣେ ପୁରୁଷ ଆକ୍ରାନ୍ତ ଅଛନ୍ତି। ସଂପୃକ୍ତ ଆକ୍ରାନ୍ତ ମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ହୋଇଛନ୍ତି।
ବମିଖାଲ କେନାଲ ରୋଡ୍ ଅଞ୍ଚଳରୁ ଜଣେ ୧୩ ବର୍ଷିୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତ ଜଣଙ୍କ ସଂକ୍ରମିତ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ସେହିଭଳି ଅନ୍ୟ ଜଣେ ଆକ୍ରାନ୍ତ ଚନ୍ଦ୍ରଶେଖପୁର ବିଡିଏ କଲୋନି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ବୟସ ୩୨ ବର୍ଷ , ଏବଂ ସେ ଜଣେ ପୁରୁଷ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ସଂକ୍ରମିତ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ବୋଲି ସୂଚନା ଦିଆଯାଇଛି।