ହାବିଲଦାର କରୋନା ସଂକ୍ରମିତ, ମୋଟୁ ଥାନା ହେଲା କଣ୍ଟେନମେଣ୍ଟ ଜୋନ୍
ମାଲକାନଗିରି , (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କୁ ମିଶାଇ ମାଲକାନଗିରିରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଏଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୪ଟି ଆକ୍ଟିଭ୍ କେସ୍ ରହିଛି ।
୩ ସଂକ୍ରମିତଙ୍କ ମଧ୍ୟରେ ମୋଟୁ ଥାନାର ଜଣେ ହାବିଲଦାର ରହିଛନ୍ତି । ହାବିଲଦାର ଜଣଙ୍କ ମୋଟୁ ସ୍ଥିତ ବର୍ଡର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିଲେ । ତାଙ୍କୁ ମାଲକାନଗିରି ଜିଲ୍ଲା କୋଭିଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ହାବିଲଦାର ଜଣଙ୍କ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ କ୍ବାରାଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୋଟୁ ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ହାବିଲଦାରଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଅନ୍ୟ ଦୁଇ ଜଣ କୋରୁକୋଣ୍ଡା ବ୍ଲକ୍ ର ସମାନ ଟିଏମସିରୁ ଚିହ୍ନଟ ହୋଇଛନ୍ତି । ଜଣେ ତାମିଲନାଡୁରୁ ଫେରି ଟିଏମସିରେ ରହିଥିବା ବେଳେ ଅନ୍ୟ ଜଣେ ସମାନ ଟିଏମସିରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।