ଆଜିଠୁ ଘରକୁ ଘର କରୋନା ଖୋଜା ଅଭିଯାନ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଘରକୁ ଘର ଏବଂ ସହରାଞ୍ଚଳରେ ବସ୍ତିର ପ୍ରତି ଘରେ କରୋନା ଲକ୍ଷଣଧାରୀଙ୍କୁ ଖୋଜାଯିବ ବୋଲି ଏନଏଚଏମ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।
ସୋମବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ କରୋନା ଖୋଜା ଅଭିଯାନର ମଙ୍ଗ ଧରିବେ ଆଶା ଦିଦି ଓ ଏଏନଏମ୍ କର୍ମଚାରୀମାନେ । ସେମାନେ ପ୍ରତ୍ୟେକ ଘରେ ପହଞ୍ଚି ଲୋକଙ୍କ ଲକ୍ଷଣ ପଚାରି ବୁଝିବେ। ପୂର୍ବରୁ ସରକାରଙ୍କ ପକ୍ଷରୁ ୯୫ ପ୍ରତିଶତ ବିନାଲକ୍ଷଣକାରୀଙ୍କ ନମୁନା ପରୀକ୍ଷା କରାଯାଉଥିଲା। ଏବେ ସରକାରଙ୍କ ରଣକୌଶଳ ବଦଳିଛି। ଏବେ ଖାଲି କରୋନା ଲକ୍ଷଣଯୁକ୍ତଙ୍କୁ ଚିହ୍ନଟ କରି ପରୀକ୍ଷା କରାଯିବ। ସଂପ୍ରତି କରୋନା ମହାମାରୀ ରାଜ୍ୟ ତଥା ଦେଶରେ ଊର୍ଦ୍ଧ୍ବମୁଖା ହୋଇ ମାଡି ଚାଲିଛି। ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ସଙ୍ଗରୋଧ କେନ୍ଦ୍ର ସହିତ ସ୍ଥାନୀୟ କଣ୍ଟାକ୍ଟ ଓ ଲକ୍ଷଣ ଯୁକ୍ତଙ୍କୁ ପରୀକ୍ଷା ବେଳେ ଗୁରୁତ୍ବ ଦିଆଯାଉଛି। ତେବେ ଆଗାମୀ ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ସତର୍କ ରହିବା ସହ ଯଦି ସଂଯମତା ବଜାୟ ରଖିବେ ତେବେ ନିଶ୍ଚିତ ରୂପେ କରୋନାକୁ ଜିତିହେବ।
ସେ କହିଛନ୍ତି ଯେ ରାଜ୍ୟରେ ଏବେ ୨ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି। ପ୍ରଥମ ୫୦ହଜାର ନମୁନା ପରୀକ୍ଷା ପାଇଁ ୧ମାସ ଲାଗିଥିବାବେଳେ ଏବେ ୨ସପ୍ତାହରେ ୫୦ହଜାର ନମୁନା ପରୀକ୍ଷା କରାଯାଇପାରୁଛି। ଏଥିପାଇଁ ଏବେ ୧୦ଟି ଜିଲାରେ ୧୭ଟି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଲାଣି। ସେଥିମଧ୍ୟରେ ମାଲକାନାଗିରିର ମୈଥିଲି ମଧ୍ୟ ରହିଛି। ତେବେ ଭାରତରେ ପ୍ରତି ୧୦ଲକ୍ଷରେ ୪୩୦୫ ନମୁନା ପରୀକ୍ଷା କରାଯାଉଥିବାବେଳେ ରାଜ୍ୟରେ ୪୩୩୪ ନମୁନା ପରୀକ୍ଷା ହେଉଛି। ପୂର୍ବରୁ ରାଜ୍ୟରେ ବିନାଲକ୍ଷଣକାରୀଙ୍କ ନମୁନା ପରୀକ୍ଷା କରାଯାଉଥିଲା। ୨୦୦ରେ ଜଣେ ବାହାରୁଥିବାବେଳେ ଏବେ ଲକ୍ଷଣଧାରୀଙ୍କ ମଧ୍ୟରେ ୨୦ଜଣରେ ଜଣେ ବାହାରୁଛନ୍ତି।