କ୍ଲଷ୍ଟ୍ରୋଫୋବିଆ ଉପରେ ରିୟାଙ୍କୁ କଡା ଜବାବ ଦେଲେ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ କ୍ଲଷ୍ଟ୍ରୋଫୋବିଆରେ ପିଡିତ ଥିବା ନେଇ ଏକ ଗଣମାଧ୍ୟମରେ କହିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଯାହା ପରେ ରିୟାଙ୍କୁ କଡା ଜବାବ ଦେଇଛନ୍ତି ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ।
ଏକ ଘରୋଇ ଚାନେଲରେ ରିୟା କହିଥିଲେ ଯେ ସୁଶାନ୍ତଙ୍କୁ ଫ୍ଲାଇଟରେ ଚଢିବା ବେଳେ ଡର ଲାଗେ । ପ୍ଲେନରେ ଚଢିବା ପୂର୍ବରୁ ସୁଶାନ୍ତ କିଛି ମେଡିସିନ୍ ନେଇଥାନ୍ତି । ଯାହା ପରେ ଅଙ୍କିତା ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସୁଶାନ୍ତ ଫ୍ଲାଇ କରୁଥିବା ଦେଖିବାକୁ ମିଳିଥିଲା । ଏହା ସହ ରିୟା ମିଛ କହୁଛନ୍ତି ବୋଲି ସେ ଦାବି କରିଛନ୍ତି ।
ଇଡି ପକ୍ଷରୁ ରିୟାଙ୍କ ଫୋନ୍ ଯାଞ୍ଚ ପରେ ହ୍ୱାଟ୍ସଆପ୍ ମେସେଜରୁ ତାଙ୍କର ଡ୍ରଗ୍ସ ଲିଙ୍କ ଥିବା ଘଟଣା ସମ୍ମୁଖକୁ ଆସିଛି । ଏନେଇ ଇଡି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଦୃଷ୍ଟି ଆକର୍ଷଣ କରିଥିଲା । ଯାହା ପରେ ଏନସିବି ନିଜ ଆଡୁ ଏକ ମାମଲା ରୁଜୁ କରିଛି ।
ଏହାପୂର୍ବରୁ ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।
ଯାହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ ହେବା ସହ ଖୋଳତାଡ ଜାରି ରହିଛି ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।