ବାତ୍ୟାର ଟେର ପାଉନାହାନ୍ତି ପାଣିପାଗ ବିଜ୍ଞାନୀ, କେନ୍ଦ୍ରାପଡ଼ାରେ ହୋଇପାରେ ଲ୍ୟାଣ୍ଡଫଲ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପାରାଦୀପଠାରୁ ୯୦୦ କିଲୋମିଟର ଦୂରରେ ଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ୍ (ଉମ୍-ପୁନ୍) ଅଧିକ ଉଗ୍ର ହେବାରେ ଲାଗିଛି। ଏହା ବାତ୍ୟା ରୂପ ନେଇ ସାରିଲାଣି। ଅତି ସାଂଘାତିକ ବାତ୍ୟା ହେବାକୁ ଯାଉଛି। ଆଜି ରାତିଠୁ ଏହି ବାତ୍ୟା ପ୍ରଭାବରେ ବର୍ଷା, ଝଡ଼ ହେବାର ଆଶଙ୍କା କରାଯାଇଛି। ଓଡ଼ିଶାର ଉପକୂଳ ଜିଲ୍ଲା ପୁରୀଠୁ ବାଲେଶ୍ଵର ଯାଏ ଏଥିରେ ପ୍ରଭାବିତ ହେବ। କିନ୍ତୁ ଏହାର ଗତିପଥ କ’ଣ ହେବ ସେ ନେଇ ଅନିଶ୍ଚିତତା ଏବେ ବି ଲାଗି ରହିଛି। ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପାଣିପାଗ ବିଜ୍ଞାନୀମାନେ ଏଯାଏ ବାତ୍ୟା ଉମ୍-ପୁନ୍ କେଉଁ ବାଟ ଦେଇ ଯିବ, କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ନେଇ କୌଣସି ନିର୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରୁ ନାହାନ୍ତି।
ସୋଆ ବିଶ୍ଵବିଦ୍ୟାଳୟ ପାଣିପାଗ କେନ୍ଦ୍ର ଅଧ୍ୟକ୍ଷ ତଥା ପାଣିପାଗ ବିଜ୍ଞାନୀ ଡ, ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ଏଥିନେଇ ଦୁଇଟି ମଡେଲ୍କୁ ଆଧାର କରାଯାଉଛି। ଏଯାଏ କୌଣସି ନିର୍ଦିଷ୍ଟ ସିଦ୍ଧାନ୍ତ ମିଳିପାରି ନାହିଁ। ଓଡ଼ିଶାର କେନ୍ଦ୍ରାପଡ଼ା କି ଭଦ୍ରକ ନହେଲେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ କୌଣସି ସ୍ଥାନରେ ସ୍ଥଳଭାଗରେ ପିଟି ହେବ ( ଲ୍ୟାଣ୍ଡ ଫଲ୍) ତାହା ସ୍ପଷ୍ଟ ହୋଇପାରୁ ନାହିଁ।
୨୦ ତାରିଖରେ ଲ୍ୟାଣ୍ଡଫଲ୍
ବାତ୍ୟା ଆମ୍ଫାନ୍ ଯାହାକୁ ଉମ୍-ପୁନ୍ ଭାବେ ଉଚ୍ଚାରଣ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛନ୍ତି, ତାହା ବୁଧବାର ଅର୍ଥାତ୍ ମେ’ ୨୦ରେ ଲ୍ୟାଣ୍ଡଫଲ କରିବା ଅଥବା ଭୁପୃଷ୍ଠରେ ପିଟି ହେବ। ଏହାପରେ ଏହାର ଶକ୍ତି ହ୍ରାସ ହେବ। ସମସ୍ତ ଆଶଙ୍କା ଦୂର ହେବ। ତେବେ କେଉଁ ହେବ ଲ୍ୟାଣ୍ଡଫଲ୍?
ଏଥିଲାଗି ଦୁଇଟି ମଡେଲ୍କୁ ଆଶ୍ରା କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ ମତରେ ଗୋଟିଏ ମଡେଲ୍ ଅନୁସାରେ ବାତ୍ୟା ନିଜର ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ଏହା ହେଲେ ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ କେଉଁଠି ଲ୍ୟାଣ୍ଡଫଲ୍ କରିବ। ଓଡ଼ିଶା ପ୍ରତି ବିପଦ ନାହିଁ।
କିନ୍ତୁ ଯଦି ଏହା ଦିଗ ନବଦଳାଏ, ତେବେ ତାହା ଓଡ଼ିଶା ଉପକୂଳରେ ସିଧା ପିଟିହେବ। କେନ୍ଦ୍ରାପଡ଼ା ବା ଭଦ୍ରକ ଜିଲ୍ଲାର କେଉଁ ଏକ ସ୍ଥାନରେ ଏହା ପିଟି ହୋଇପାରେ। ଏହା ହେଲେ ଉଭୟ କେନ୍ଦ୍ରାପଡ଼ା ଓ ଭଦ୍ରକରେ ବିପର୍ଯ୍ୟୟ ସୃଷ୍ଟି ହେବ। ଧନ ଜୀବନ ହାନୀ ହେବା ଆଶଙ୍କା ରହିଛି।
ଆସନ୍ତା ୧୨ ଘଣ୍ଟା ଭିତରେ ଏହି ଗତିପଥ ସ୍ପଷ୍ଟ ହେବ ବୋଲି ଆଶା କରାଯାଇଛି।
ଆଜି ରାତିରୁ ପ୍ରବଳ ବର୍ଷା
ଏହି ବାତ୍ୟା ପ୍ରଭାବରେ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାରେ ଆସନ୍ତା କାଲି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ପୁରୀ, ଜଗତସିଂହପୁରରେ ବର୍ଷା ବୁଧବାର ଯାଏ ଲାଗି ରହିବ। ମଙ୍ଗଳବାରଠାରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଏବଂ ଅନୁଗୁଳରେ ମଧ୍ୟ ମଧ୍ୟମ ଧରଣର ବର୍ଷା ଅନୁମାନ କରାଯାଇଛି।