ଆଇପିଏସ୍‌ ଅମିତାଭଙ୍କ ଘନିଷ୍ଠ ଥିଲେ ସୁଶାନ୍ତ ସିଂହ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ବଲିଉଡର ଜଣେ ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତକାଲି ମୁମ୍ବାଇରେ ଥିବା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସୁଶାନ୍ତଙ୍କ ଏଭଳି ଅଚାନକ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସମଗ୍ର ବଲିଉଡ ସ୍ତବ୍ଧ ହୋଇଯାଇଥିବାବେଳେ ଓଡିଶା କ୍ୟାଡରର ଆଇପିଏସ ଅଫିସର ଅମିତାଭ ଠାକୁର ନିଜର ଜଣେ ଖାସ ବନ୍ଧୁଙ୍କୁ ହରାଇ ଭାବୁକ ହୋଇପଡିଛନ୍ତି । କାରଣ କିଛି ଦିନ ତଳେ ସୁଶାନ୍ତଙ୍କ ସହ ଫୋନରେ କଥା ହୋଇଥିବାବେଳେ ଅମିତାଭଙ୍କ ବାହାଘରରେ ସୁଶାନ୍ତଙ୍କ ବରଯାତ୍ରୀ ଡ୍ୟାନ୍ସ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି ।

ଅମିତାଭ କରିଥିବା ଟ୍ଵିଟରେ ଶ୍ରୀ ଠାକୁର ଅତ୍ୟନ୍ତ ଭାବପୂର୍ଣ୍ଣ ଶୈଳୀରେ ଲେଖିଛନ୍ତି,”ଏହି ଖବର ଶୁଣି ମୁଁ ମର୍ମାହତ…ବାକଶୂନ୍ୟ, କିଛି ଦିନ ତଳେ ଆମେ କଥା ହୋଇଥିଲୁ, ତୁମେ ଯେଉଁ ଢଙ୍ଗରେ ମୋର ବରଯାତ୍ରୀରେ ନାଚିଥିଲ ତାହା ଏବେ ବି ମୋ ସ୍ମୃତିକୁ ଆନ୍ଦୋଳିତ କରି ରଖିଛି…ତୁମେ ଏମିତି କେମିତି କରିପାରିଲ, ତୁମ ଆତ୍ମା ଶାନ୍ତିରେ ରହୁ” । ସୁଶାନ୍ତ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିବାବେଳେ ଅମିତାଭଙ୍କ ଘର ମଧ୍ୟ ବିହାର, ଆଉ ସେ ସୁଶାନ୍ତଙ୍କଠାରୁ ବୟସରେ ବଡ ହୋଇଥିଲେ ବି ସୁଶାନ୍ତ ତାଙ୍କ ସାନ ଭାଇ ଭଳି ଥିଲେ ।

Leave a Reply

Your email address will not be published.