କରୋନା ପଜିଟିଭ ପରେ ବିଗ୍ ବି’ଙ୍କ ମୁମ୍ବାଇସ୍ଥିତ ୪ ବଙ୍ଗଳା ସିଲ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଶେହେନସା ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁମ୍ବାଇ ସ୍ଥିତ ତାଙ୍କର ୪ଟି ବଙ୍ଗଳାକୁ ସିଲ୍ କରାଯାଇଛି ।
ଅମିତାଭ ବଚ୍ଚନଙ୍କ ଜଲସା, ପ୍ରତୀକ୍ଷା, ଜନକ ଓ ଭାସ୍ତା ଭଳି ୪ ବଙ୍ଗଳାକୁ ବ୍ରିହନମୁମ୍ବାଇ ମହାନଗର ନିଗମ (ବିଏମସି) ପକ୍ଷରୁ ସିଲ୍ କରାଯାଇଛି । ଏପରିକି ପ୍ରଶାସନ ପକ୍ଷରୁ ସାନିଟାଇଜ କାର୍ଯ୍ୟ ଜାରି ରହିଛି ।
ଏପରିକି ତାଙ୍କ ବଙ୍ଗଳାରେ କାମ କରୁଥିବା ୩୦ ଜଣ ବ୍ୟକ୍ତିଙ୍କର କରୋନା ଟେଷ୍ଟ କରାଯାଉଥିବା ନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାଛଡା ସମସ୍ତେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି ।
ଗତକାଲି ବଲିଉଡ ଶେହେନସା ଅମିତାଭ ବଚ୍ଚନଙ୍କ ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏପରିକି ଅଭିଷେକ ବଚ୍ଚନ ଏକ ଡବିଂ ଷ୍ଟୁଡିଓକୁ ଯାଉଥିଲେ, ଯାହାକୁ ସାନିଟାଇଜ କରାଯାଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ଉଭୟ ଅମିତାଭ ଓ ଅଭିଷେକ ମୁମ୍ବାଇର ନାନାବତି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ଆଇସୋଲେସନ୍ ୟୁନିଟରେ ଭର୍ତ୍ତି ହୋଇଛନ୍ତି । ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।
ତେବେ ପତ୍ନୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ମା’ ଜୟାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ଏନେଇ ଅଭିଷେକ ବଚ୍ଚନ ରବିବାର ଦିନ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ପରେ ସେମାନଙ୍କର କରୋନା ସ୍ୱାବ୍ ରିପୋର୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ସେମାନେ ଘରେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଛନ୍ତି ।
ଏପରିକି ତାଙ୍କ ଜଲସା ବଙ୍ଗଲୋ ସାନିଟାଇଜ କରାଯାଉଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ବହୁ କଳାକାରଙ୍କ ସମେତ ଅନେକ ରାଜନେତା ମାନେ ମଧ୍ୟ ବିଗ ବି’, ଅଭିଷେକ ଓ ତାଙ୍କ ପରିବାର ବର୍ଗଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।