ଆମେରିକା ଓ ଚୀନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଖୋଲାଖୋଲି ସଂଘର୍ଷର ମୋଡ ନେବା ଅନୁଚିତ- ବାଇଡେନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା, ତାଇୱାନ୍ ସମେତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦାକୁ ନେଇ ଚାଲିଥିବା ବାକ୍ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଭର୍ଚୁଆଲ୍ ସାକ୍ଷାତ ହୋଇଛି । ଜିନ୍ପିଙ୍ଗ୍ଙ୍କ ସହ ବୈଠକରେ ବାଇଡେନ୍ କହିଛନ୍ତି ଯେ, ତାଙ୍କ ଲକ୍ଷ୍ୟ ପ୍ରତିଯୋଗିତାକୁ ସଂଘର୍ଷରେ ପରିଣତ ହେବାରୁ ରୋକିବା । ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ବେଜିଂରେ ହୋଇଥିବା ସାକ୍ଷାତକାରରେ ଖୁବ୍ ଭଲ ସଂପର୍କ ରହିଥିବା ଦେଖିବାକୁ ମିଳିଥିଲା ।
ବିଶ୍ୱବାସୀଙ୍କ ପ୍ରତି ଆମେରିକାର ବଡ଼ ଦାୟିତ୍ଲ ରହିଥିବା ଜୋ ବାଇଡେନ୍ ଏହି ବୈଠକ ଆରମ୍ଭରେ କହିଥିଲେ । ସମସ୍ତ ଦେଶ ଏକ ନିର୍ଦ୍ଧିଷ୍ଟ ନିୟମରେ ଚାଲିବା ଉଚିତ୍ ବୋଲି ସେ କହିଛନ୍ତି । କୁହାଯାଉଛି ଯେ, ବାଇଡେନ୍ ଚୀନ୍ ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଚାହୁଁଥିଲେ । ହେଲେ ଜିନ୍ପିଙ୍ଗ୍ କରୋନା ଆରମ୍ଭରୁ ବାହାର ଦେଶକୁ ଯିବା ଆସିବା ବନ୍ଦ କରିଦେଇଛନ୍ତି । ଏହାରି ଭିତରେ ସେ ଆମେରାକାର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ଏହାକୁ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଭର୍ଚୁଆଲ୍ ବୈଠକ କରିବାକୁ ସ୍ଥିର ହୋଇଥିଲା ।
କହିରଖୁଛୁ ଯେ ଉତ୍ତର-ପଶ୍ଚିମ ଚୀନ୍ରେ ଉଇଗରୋଙ୍କ ବିରୋଧରେ ମାନବ ଅଧିକାରର ଉଲ୍ଲଂଘନ, ହଂକଂରେ ଗଣତାନ୍ତ୍ର ବିରୋଧର ଦମନ ଏବଂ ତାଇୱାନର ସ୍ୱ-ଶାସିତ ଦ୍ୱୀପ ବିରୁଦ୍ଧରେ ସାମରିକ ଆକ୍ରୋଶ ପାଇଁ ଜୋ ବିଡେନ ବେଜିଂକୁ ସମାଲୋଚନା କରିଛନ୍ତି । ତେବେ ଜିନ୍ପିଙ୍ଗ୍ଙ୍କ ପ୍ରତିନିଧୀମାନେ ଏଥିରେ ହସ୍ତକ୍ଷେପ ପାଇଁ ବିଡେନ ଏବଂ ହ୍ୱାଇଟ୍ ହାଉସକୁ ନିନ୍ଦା କରିଛନ୍ତି । କାରଣ ଚୀନ୍ ଏହି ପ୍ରସଙ୍ଗକୁ ଏହାର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛି । ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବାଇଡେନଙ୍କୁ କହିଛନ୍ତି ଯେ, ଉଭୟ ପକ୍ଷ ଯୋଗାଯୋଗରେ ଉନ୍ନତି ଆଣିବା ଆବଶ୍ୟକ। ସି ଜିନପିଙ୍ଗ ବାଇଡେନଙ୍କ ସହ ସାକ୍ଷାତ ଆରମ୍ଭରେ କହିଥିଲେ ଯେ ମୋର ପୁରୁଣା ବନ୍ଧୁଙ୍କୁ ଦେଖି ମୁଁ ବହୁତ ଖୁସି ।