ଆଜି ଭାରତରେ ପହଁଚିବେ ଆମେରିକା ପ୍ରତିରକ୍ଷା ସଚିବ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପୂର୍ବ ଲଦାଖରେ ଗତ କିଛି ମାସ ହେବ ଚୀନ ସହ ଉତ୍ତେଜନା ଲାଗି ରହିଛି । ଏହାମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଜେ ଅଷ୍ଟିନ୍ ଶୁକ୍ରବାର ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶାସନକୁ ଆସିବା ପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ମନ୍ତ୍ରୀ ଭାରତ ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଲାୟଡ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଏନଏସଏ ଅଜିତ ଡୋଭାଲଙ୍କୁ ସାକ୍ଷାତ କରିବେ ।
ଲାୟଡ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ଆସି ପହଁଚିବେ । ଶନିବାର ସକାଳେ ସେ ପ୍ରଥମେ ନ୍ୟାଶନାଲ ଓ୍ୱାର ମେମୋରିଆଲରେ ସହିଦ ହୋଇଥିବା ବୀର ସୈନିକଙ୍କୁ ଶ୍ରଦ୍ଧଞ୍ଜଳି ଦେବେ । ଏଠାରେ ତାଙ୍କୁ ୩ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ଏହାପରେ ସେ ରାଜନାଥଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ସମୟରେ ଉଭଦ ଦେଶର ସୈନ୍ୟ ପ୍ରତିନିଧି ଉପସ୍ଥିତ ରହିବେ । ଆଲୋଚନା ସରିବା ପରେ ମିଳିତ ବୟାନ ଜାରି କରିବେ ଉଭୟ ନେତା ।
ଆମେରିକା ପ୍ରତିରକ୍ଷା ବିଭାଗ ଅୁସାରେ, ଲାୟଡ ନିଜ ସମକକ୍ଷଙ୍କ ସହ ଜାତୀୟ ସୁରକ୍ଷା ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହାସହ ପ୍ରତିରକ୍ଷା ସମ୍ପର୍କ ମଜବୁତ କରିବା ଦିଗରେ ଆଲୋଚନା ହେବ । ପ୍ରଶାନ୍ତ ମହାସାଗରୀୟ ଓ ଭାରତ ମହାସାଗରରେ ଚୀନର ଦବଦବା ହ୍ରାସ ଉପରେ ମଧ୍ୟ ଚର୍ଚ୍ଚା ହେବ ବୋଲି ୟୁଏସ କହିଛି ।