ଆସନ୍ତାକାଲି ସିଇଓ ପଦବୀରୁ ଇସ୍ତଫା ଦେବେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋଶ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏକ ଅନଲାଇନ ବୁକଷ୍ଟୋର୍ ଭାବେ ଆମାଜନ ଆରମ୍ଭ କରିଥିବା ଏବଂ ଅନଲାଇନ ସପିଙ୍ଗ ଦୁନିଆର ମହାରଥୀ ଜେଫ୍ ବେଯୋଶ୍ କମ୍ପାନୀର ସିଇଓ ପଦବୀରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସୋମବାର, ଜୁଲାଇ ୫ ତାରିଖରେ ସେ କମ୍ପାନୀର ସିଇଓ ପଦବୀରୁ ଇସ୍ତଫା ଦେବେ। ତାଙ୍କ ସ୍ଥାନ ନେବେ ଆମାଜନର କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ବିଜନେସ ସଞ୍ଚାଳକ ଆଣ୍ଡି ଜେସି।

ପ୍ରାୟ ୩୦ ବର୍ଷ ଯାଏଁ ସିଇଓ ପଦବୀରେ ଥିବା ଜେଫ ବେଯୋଶ ବର୍ତ୍ତମାନ କାର୍ଯ୍ୟକାରୀ ଅଧ୍ୟକ୍ଷର ନୂଆ ଭୂମିକାରେ ରହିବେ। ବେଯୋଶ ଫେବୃଆରୀ ଆରମ୍ଭରେ କହିଥିଲେ ଯେ ସେ ଅନ୍ୟ କାମଗୁଡିକୁ ଅଧିକ ସମୟ ଦେବେ ଏବଂ ନିଜର ବ୍ଲୁ ଆମାଜନ କମ୍ପାନୀକୁ ଅଧିକ ଧ୍ୟାନ ଦେବାକୁ ସିଇଓ ପଦ ଛାଡିବାକୁ ଚାହୁଁଛନ୍ତି।

ବେଯୋଶ ନିଜର ଏହି ନୂଆ ସେକ୍ଟରରେ ଫୋକସ କରିବେ। ବେଯୋଶ ବର୍ତ୍ତମାନ ସ୍ପେସ ଫ୍ଲାଇଟ ମିଶନରେ କାମ କରୁଛନ୍ତି। ସେ ନିଜ କମ୍ପାନୀ ବ୍ଲୁ ଆମାଜନର ଚଳିତ ମାସରେ ସଞ୍ଚାଳିତ ହେବାକୁଥିବା ପ୍ରଥମ ସ୍ପେସ ଫ୍ଲାଇଟରେ ଯାତ୍ରା କରିବେ।

ନିକଟରେ ବେଯୋଶ ଇନଷ୍ଟାଗ୍ରାମରେ କହିଥିଲେ ଯେ ତାଙ୍କ ଭାଇ ଏବଂ ନିଲାମୀର ଜଣେ ବିଜେତା ବ୍ଲୁ ଓରିଜିନର ନ୍ୟୁ ଶେଫର୍ଡ ମହାକାଶଯାନରେ ଯାତ୍ରା କରିବେ ଯାହା ଜୁଲାଇ ୨୦ ରେ ଯାତ୍ରା ଉଡାଣ କରିବ। ଏଥିରେ ଟେକ୍ସସରୁ ସଂକ୍ଷିପ୍ତ ମହାକାଶ ଯାତ୍ରା କରାଯିବ। ଜୁଲାଇ ୨୦ ରେ ଆପୋଲୋ-୧୧ ର ଚନ୍ଦ୍ରରେ ପହଞ୍ଚିବାର ବାର୍ଷିକ ଉତ୍ସବ ମଧ୍ୟ ପାଳନ କରାଯିବ। ବେଯୋଶ କହିଥିଲେ, “ଭୁପୃଷ୍ଠକୁ ମହାକାଶରୁ ଦେଖିବା, ଆପଣଙ୍କୁ ବଦଳାଇ ଦେଇଥାଏ, ଏହି ଗ୍ରହ ସହ ଆପଣଙ୍କ ସମ୍ପର୍କକୁ ବଦଳାଇ ଦେଇଥାଏ। ମୁଁ ଏହି ଉଡାଣରେ ଯାତ୍ରା କରିବାକୁ ଚାହୁଁଚି କାରଣ ଏହା ଏମିତି ଏକ ଜିନିଷ ଯାହା ମୁଁ ମୋ ଜୀବନରେ ସବୁବେଳେ କରିବାକୁ ଚାହୁଁଥିଲି। ଏହା ଅତ୍ୟନ୍ତ ରୋମାଞ୍ଚକ। ଏହା ମୋ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ।”

Leave a Reply

Your email address will not be published. Required fields are marked *