ଅମରନାଥ ଯାତ୍ରା: ଦୈନିକ ୫୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି

ଶ୍ରୀନଗର, (ଓଡିଶା ଟାଇମ୍‌): କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବାର୍ଷିକ ଅମରନାଥ ଯାତ୍ରାକୁ ସୀମିତ ଭାବେ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ।

ଜାମ୍ମୁ-କାଶ୍ମୀର ପ୍ରଶାସନ ଶନିବାର ଦିନ କହିଛନ୍ତି ଯେ ସଡକ ମାର୍ଗ ଠାରୁ ୩,୮୮୦ ମି. ଉଚ୍ଚରେ ଅବସ୍ଥିତ ଏହି ପବିତ୍ର ଗୁମ୍ଫା ଭିତରେ ମାତ୍ର ୫୦୦ ଯାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବେଶ ପୂର୍ବରୁ ଅମରନାଥ ଯାତ୍ରୀଙ୍କ ଉପରେ ଏସଓପି ମଧ୍ୟ ଲାଗୁ କରାଯିବ ।

ମୁଖ୍ୟ ସଚିବ ବିବିଆର ସୁବ୍ରମଣ୍ୟମ କହିଛନ୍ତି ଯେ ଚଳିତ ଥର ଯାତ୍ରାକୁ ସୀମିତ ଭାବେ କରାଯିବ । ଯାହାଦ୍ୱାରା ଯାତ୍ରା ସମୟରେ କୋଭିଡ-୧୯ ସମ୍ବନ୍ଧୀୟ ନିୟମ ଗୁଡିକୁ କଡାକଡି ଭାବେ ପାଳନ କରାଯାଇପାରିବ । ଅନନ୍ତନାଗର ପହଲଗାମ ଓ ଗେନ୍ଦରବଲର ବାଲଟାଲ ରାସ୍ତା ଦେଇ ୪୨ ଦିନ ଚାଲିବାକୁ ଥିବା ଏହି ଯାତ୍ରା ଜୁନ୍ ୨୩ ତାରିଖରୁ ଆରମ୍ଭ ହେବାକୁ ଥିଲା । ହେଲେ କରୋନା ଭାଇରସ୍ ମହାମାରୀ ଯୋଗୁଁ ଯାତ୍ରାରେ ବିଳମ୍ବ ଘଟିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରକୁ ଆସିବାକୁ ଥିବା ସମସ୍ତ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯିବ । ଯେ ପର୍ଯ୍ୟନ୍ତ ସେମାନଙ୍କ ରିପୋର୍ଟ ନେଗେଟିଭ ନ ଆସିଛି ସେ ଯାଏଁ ସେମାନେ ଅଲଗା ରହିବେ ।

ସେହିପରି ସ୍ୱାସ୍ଥ୍ୟ ବିଭାଗର ବିତ୍ତୀୟ ଆୟୁକ୍ତ ଅଟଳ ଡୁଲ୍ଲୋ କହିଛନ୍ତି ଯେ ଯାତ୍ରା ଡ୍ୟୁଟିରେ ମୁତୟନ ହେବାକୁ ଥିବା ଡାକ୍ତର, ପାରାମେଡିକାଲ କର୍ମୀଙ୍କ ପାଇଁ ଔଷଧ, ପିପିଇ କିଟ୍‌, ମାସ୍କ, ସ୍ଲିପିଂ ବେଗ୍ ଓ ଅତ୍ୟାବଶ୍ୟକ ସମସ୍ତ ସାମଗ୍ରୀର ବ୍ୟବସ୍ଥା କରାଯିବ । ବାଲଟାଲ ରାସ୍ତାରେ ଦୁଇ ବସରେ ହସ୍ପିଟାଲ ବି ସ୍ଥାପିତ କରାଯିବ ।

Leave a Reply

Your email address will not be published. Required fields are marked *