ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ
ମୁମ୍ବାଇ, (ଓଡିଶା ଟାଇମ୍) :ମହାରାଷ୍ଟ୍ରର ସମସ୍ତ ଧାର୍ମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି। ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିକୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି। ତେବେ ମନ୍ଦିରଗୁଡିକ ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି। ନିର୍ଦ୍ଦିଷ୍ଟ ନିୟମ ଅନୁସରଣ ପୂର୍ବକ ଶ୍ରଦ୍ଧାଳୁମାନେ ଧାର୍ମିକସ୍ଥଳଗୁଡିକରେ ଦର୍ଶନ କରୁଛନ୍ତି। କରୋନା ମହାମାରୀ ପାଇଁ ଦୀର୍ଘ ୬ ମାସରୁ ଅଧିକ ସମୟ ଧାର୍ମିକସ୍ଥଳଗୁଡିକ ବନ୍ଦ ରହିଥିଲା।
ଶିରିଡିରେ ସାଇ ବାବା ମନ୍ଦିର, ପନ୍ଦରପୁରର ଭିଠାଲ ମନ୍ଦିର, ତୁଲଜାପୁରର ତୁଲଜା ଭବାନୀ ମନ୍ଦିର ଭଳି କେତେକ ପ୍ରସିଦ୍ଧ ମନ୍ଦିର ଆଜି ସକାଳେ ଖୋଲିଛି। ସମସ୍ତ ଏସଓପି ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ଭକ୍ତମାନେ ଏହି ମନ୍ଦିର ବାହାରେ ପାସ୍ ଏବଂ ପଞ୍ଜୀକରଣ ପାଇଁ ଧାଡି ଲଗାଇଛନ୍ତି। ସେହିପରି ମହିମ୍ ଚର୍ଚ୍ଚ, ମୁମ୍ବାଇର ହାଜି ଅଲି ଦରଘା ପରି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା କମ୍ ଥିବାରୁ ଧାର୍ମିକ ସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ ବୋଲି ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି। ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେଉଛି। ମାସ୍କ୍ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।