ଆଜି ବସିବ ସର୍ବଦଳୀୟ ବୈଠକ, କରୋନା ମୁକାବିଲା ପାଇଁ ବିରୋଧିଙ୍କ ସାହାଯ୍ୟ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍):କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦୈନିକ ସଂକ୍ରମଣ ହୁ ହୁ ବଢି ଚାଲିଥିବା ବେଳେ ମୃତ୍ୟୁରେ ରୋକ୍ ଲାଗୁନି । ଏଭଳି ସଂକଟ ସମୟରେ ବିରୋଧୀଙ୍କୁ ବିଶ୍ବାସକୁ ନେଇ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ସର୍ବଦଳୀୟ ବୈଠକ ।

ସୋମବାର ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ କକ୍ଷରେ ବୈଠକ ବସିବ । ସବୁ ଦଳର ବିଧାୟକମାନେ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଖୁବ୍ ଶୀଘ୍ର ବିଧାନସଭା ସଚିବାଳୟ ପକ୍ଷରୁ ସବୁ ବିଧାୟକମାନଙ୍କୁ ଏ ସଂକ୍ରାନ୍ତ ଚିଠି ପଠାଯାଇଛି। ଯଦି କୌଣସି ବିଧାୟକ ବିଧାନସଭା ସମ୍ମିଳନୀ କକ୍ଷକୁ ଆସି ନ ପାରିବେ, ତାହେଲେ ସେ ନିଜ ଜିଲ୍ଲା କିମ୍ବା ନିର୍ବାଚନମଣ୍ଡଳୀରେ ରହି ଭିଡିଓ କନଫରେନ୍ ସିଂ ଜରିଆରେ ଭାଗ ନେଇ ପାରିବେ ।

କୋଭିଡ୍ ମହାମାରୀର ପ୍ରକୋପ, ସ୍ବାସ୍ଥ୍ୟସେବା, ଔଷଧ, ଡାକ୍ତର, ନର୍ସ, ଅକ୍ସିଜେନ୍ ସୁବିଧା ଆଦି ଅଭାବ ଓ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିପାରିବେ। ଏହାସହିତ ଆଗକୁ କିପରି ଆହୁରି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମ୍ନା କରିହେବ ସେ ନେଇ ସରକାରଙ୍କୁ ପରାମର୍ଶ ବି ଦେଇପାରିବେ।ମହାମାରୀର ମୁକାବିଲା କରିବାପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଥିବାରୁ କଂଗ୍ରେସ ଏହାକୁ ସ୍ବାଗତ କରିଛି ।

Leave a Reply

Your email address will not be published. Required fields are marked *