କୌଣସି ଭାରତୀୟ ଯବାନ ନିଖୋଜ ନାହାନ୍ତି – କେନ୍ଦ୍ର ସରକାର
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଲଦାଖର ଗାଲୱାନ ଘାଟୀରେ ଚୀନ୍ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷ ପରେ କୌଣସି ଭାରତୀୟ ଯବାନ ନିଖୋଜ ନାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଗୁରୁବାର ସାପ୍ତାହିକ ସୂଚନା ପ୍ରଦାନ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସେନା ପକ୍ଷରୁ କୌଣସି ଭାରତୀୟ ଯବାନ ନିଖୋଜ ହୋଇନଥିବା କୁହାଯାଇଛି।
ସେହିପରି ଭାରତୀୟ ସେନା କହିଛି ଯେ, ଏବେ କୌଣସି ଯବାନ ଗୁରୁତର ନାହାଁନ୍ତି । ଲେହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ୧୮ ଜଣ ଯବାନ ସୁସ୍ଥ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । କେହି ହେଲେ ଗୁରୁତର ନାହାଁନ୍ତି । ସେମାନେ ୧୫ଦିନରେ କାର୍ଯ୍ୟରେ ଯୋଗଦେବେ । ସେହିପରି ଅନ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫୮ ଯବାନ ମଧ୍ୟ ସୁସ୍ଥ ଥିବା ସେନା କହିଛି ।
ସୂଚନାଯୋଗ୍ୟ, ଗତ ସୋମବାର ରାତ୍ରରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ଚୀନ ମୃତାହତ ସଂଖ୍ୟା ବାବଦରେ କିଛି କହିନାହିଁ । କିନ୍ତୁ ସୂତ୍ରାନୁସାରେ ଚୀନର ୪୩ ସୈନିକ ପ୍ରାଣ ହରାଇଛନ୍ତି ।
ଏହା ମଧ୍ୟରେ ଜୁନ ୨୩ ତାରିଖରେ ଋଷ ଓ ଚୀନ ମଧ୍ୟରେ ହେବାକୁ ଥିବା ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାରତ ମଧ୍ୟ ଅଂଶଗ୍ରହଣ କରିବ । ଏହାସହ କୌଣସି ଭାରତୀୟ ସୈନିକ ଗତ ସୋମବାର ରାତିରେ ଘଟିଥିବା ସଙ୍ଘର୍ଷରେ ନିଖୋଜ ହୋଇନାହାଁନ୍ତି ବୋଲି ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।