ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ;ସୁରକ୍ଷା ବ୍ୟବସ୍ଥା କଡାକଡି
ନୂଆଦିଲ୍ଲୀ, (ଓଡିଶା ଟାଇମ୍: ବିମାନ ବନ୍ଦର ଉଡାଇ ଦେବାକୁ ଧମକ । ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ମିଳିଛି । ପୋଲିସକୁ ଇମେଲ ମାଧ୍ୟମରେ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି। ଏହାସହ ପୋଲିସ ଓ ସିଆଇଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଛି ।
ରବିବାର ସକାଳେ ଏହି ଧମକପୂର୍ଣ୍ଣ ମେଲ ଆସିଥିଲା । ଏଥିରେ ଲେଖାଯାଇଥିଲା ଯେ, କରଣବୀର ସୁରୀ ଆକା ମହମ୍ମଦ ଜାଲାଲ ଏବଂ କରଣବୀର ସୌରୀଙ୍କ ପତ୍ନୀ ଶୈଲି ଶାରଦା ଆକା ହସେନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ୧ ରୁ ୩ ଦିନ ମଧ୍ୟରେ ବିମାନବନ୍ଦର ଉପରେ ବୋମା ପକାଇବାକୁ ଯୋଜନା କରୁଛନ୍ତି ।
ତେବେ ଅଲ କାଏଦା ନାମରେ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଛି । ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ସମାନ ଧମକ ଆସିଥିଲା । ବିମାନ ବନ୍ଦର କର୍ତୃପକ୍ଷଙ୍କ କହିବାନୁସାରେ, ତଦନ୍ତ ଆରମ୍ଭ ହୋଇଛି। ସମସ୍ତ ଯାତ୍ରୀଙ୍କୁ କଡକଡି ଭାବେ ଯାଞ୍ଚ କରାଯାଉଛି । ସିଆଇଏସଏଫ ଓ ସ୍ଥାନୀୟ ପୋଲିସକୁ ମଧ୍ୟ ହାଇ ଆଲର୍ଟ କରାଯାଇଛି । ଏହାସହ ଟ୍ରାଫିକ୍ କଣ୍ଟ୍ରୋଲ୍ ଡିପାର୍ଟମେଣ୍ଟକୁ ଧମକ ବାବଦରେ ମଧ୍ୟ ଅବଗତ କରାଯାଇଥିବା କର୍ତୃପକ୍ଷ କହିଛନ୍ତି ।











