୧୮୦ ଚାକିରି ବାତିଲ କଲା ଏୟାର ଇଣ୍ଡିଆ; ପ୍ରଶିକ୍ଷାର୍ଥୀ ନିରାଶ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସ୍ ମହାମାରୀ ଯୋଗୁଁ ଦେଶରେ ବିମାନ ସେବା କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି । ଯାହା ଫଳରେ ଏୟାର ଇଣ୍ଡିଆ କମ୍ପାନୀ ୧୮୦ ଟ୍ରେନି କେବିନ୍ କ୍ରୁ ମେମ୍ବରଙ୍କ ଚାକିରିକୁ ବାତିଲ କରିଛି । ଏନେଇ ଏୟାରଲାଇନ୍ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ ଟ୍ରେନିଂ ସମାପ୍ତ ହେବା ପରେ ଏୟାର ଇଣ୍ଡିଆ ଉକ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଚାକିରି ଦେଇଥାନ୍ତା । ହେଲେ ଲକଡାଉନ ଯୋଗୁଁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବିମାନ କମ୍ପାନୀ ଏବେ ଏହାକୁ ବାତିଲ କରିଛି।
ଆହୁରି ମଧ୍ୟ ଜୁଲାଇ ୬ ତାରିଖରେ ଜଣେ ଟ୍ରେନି ପିଲାଙ୍କୁ ଏୟାର ଲାଇନ୍ ପକ୍ଷରୁ ଏକ ଚିଠି ପଠାଯାଇଥିଲା । ଯେଉଁଥିରେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଏୟାର ଇଣ୍ଡିଆ ଆପଣଙ୍କୁ ଆଉ ଟ୍ରେନିଂ ଦେଇପାରିବ ନାହିଁ କିମ୍ବା ଚାକିରି ପ୍ରଦାନ କରିପାରିବ ନାହିଁ ବୋଲି ଉଲ୍ଲେଖ ରହିଥିଲା।
ଟ୍ରେନିଂ ସମୟରେ ପ୍ରାର୍ଥୀମାନେ ଯେଉଁ ବ୍ୟାଙ୍କ ଗ୍ୟାରେଣ୍ଟିଂ ଦେଇଥାଆନ୍ତି ତାକୁ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଫେରସ୍ତ କରାଯାଉଛି । ଏନେଇ ବିମାନ କମ୍ପାନୀକୁ ପଚରା ଯିବାରୁ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି ଯେ ଏହା ଆଭ୍ୟନ୍ତରୀଣ ମାମଲା, ଯାହା ଉପରେ ଏୟାର ଲାଇନ୍ କିଛି ମନ୍ତବ୍ୟ ଦେବ ନାହିଁ ।
ତେବେ କରୋନା ଭାଇରସ୍ ଯୋଗୁଁ ଦେଶ ଓ ବିଦେଶରେ ଯାତ୍ରା ଉପରେ ଅଙ୍କୁଶ ଲଗାଯାଇଛି । ଯାହା ଫଳରେ ବିମାନ କମ୍ପାନୀ ମାନେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଏପରିକି ଦେଶରେ ବହୁ ଏୟାର ଲାଇନ୍ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ବେତନର କିଛି ଅଂଶ କାଟ୍ କରୁଥିବା ବେଳେ ଆଉ କେହି କେହି ଛଟେଇ ମଧ୍ୟ କରୁଥିବା ନଜରକୁ ଆସୁଛି ।
ଦେଶରେ ଗତ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ୍ ଲାଗୁ କରା ଯାଇଥିଲା । ପରବର୍ତ୍ତୀ ସମୟରେ ଘରୋଇ ବିମାନ ଗୁଡିକ ପ୍ରାୟ ଦୁଇ ମାସ ପରେ ତଥା ମେ ୨୫ରେ ବିମାନ ଉଡାଣ ଆରମ୍ଭ କରିଥିଲେ । ଏଭଳି ସମୟରେ ସମୁଦାୟ ସିଟର ବୁକିଂ ପ୍ରାୟ ୫୦ରୁ ୬୦ ପ୍ରତିଶତ ରହୁଛି ।