ବିନା ବେତନରେ କର୍ମଚାରୀଙ୍କୁ ଛୁଟିରେ ପଠାଇବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଏୟାର ଇଣ୍ଡିଆ ପକ୍ଷରୁ କର୍ମଚାରୀଙ୍କୁ ୬ ମାସରୁ ୨ବର୍ଷ ଯାଏଁ ବିନା ବେତନରେ ଛୁଟିରେ ପଠାଯିବା ଯୋଜନାକୁ ମଞ୍ଜୁରୀ ମିଳିଛି । ଏନେଇ କମ୍ପାନୀ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା । କମିଟିରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଥିବା ବେଳେ ଏହାକୁ ଆଗାମୀ ୫ ବର୍ଷ ଯାଏଁ ମଧ୍ୟ ବଢା ଯାଇପାରେ ।

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ଘୋର ଆର୍ଥୀକ ସଙ୍କଟ ଦେଇ ଗତି କରୁଛି । ବିନା ବେତନ ଅବକାଶ (ଏଲଡବ୍ଲ୍ୟୁପି) ଯୋଜନା କମ୍ପାନୀ ପାଇଁ କିଛିଟା ଫଳପ୍ରଦ ହୋଇପାରେ । ଏହି ଯୋଜନା ବିଶେଷତଃ କିଛି କର୍ମଚାରୀଙ୍କୁ ଚିହ୍ନଟ କରି ଏଲଡବ୍ଲ୍ୟୁପିରେ ପଠା ଯିବା ଉପରେ ଆଧାରିତ ।

ଆହୁରି ମଧ୍ୟ କମ୍ପାନୀର ଏଭଳି ନିଷ୍ପତତ୍ତି ଠିକ୍ ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏନେଇ ମନ୍ତ୍ରୀ କହିଥିଲେ ଯେ ପ୍ରତି ବର୍ଷ ୫୦୦-୬୦୦ କୋଟି ଟଙ୍କାର ଇକ୍ୱିଟି ନିବେଶ କରିବା ସମ୍ଭବ ନୁହେଁ । ଏୟାର ଇଣ୍ଡିଆ ପକ୍ଷରୁ ଏଥିରେ କାଟ୍ କରିବା ଦ୍ୱାରା କିଛି ଟଙ୍କା ସଞ୍ଚୟ ହୋଇପାରିବ ।

ସେହିପରି ନିକଟରେ ଏୟାର ଇଣ୍ଡିଆ ପକ୍ଷରୁ ତା’ର କ୍ରୁ’ ସଦସ୍ୟମାନଙ୍କ ଭତ୍ତାରେ ୪୦ ପ୍ରତିଶତ ଯାଏଁ ହ୍ରାସ କରାଯାଇଥିଲା । ଯାହାକୁ ପିଛିଲା ଭାବେ ଏପ୍ରିଲ୍ ୧ ତାରିଖରୁ ଲାଗୁ କରାଯାଇଥିଲା । ଯେଉଁମାନେ କି ମାସିକ ୨୫ ହଜାରରୁ ଅଧିକ ଦରମା ପାଉଥିବେ । ତେବେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ବେତନ ବାବଦକୁ ମାସିକ ପ୍ରାୟ ୨୩୦ କେଟି ଟଙ୍କା ଖର୍ଚ୍ଚ କରାଯାଇଥାଏ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମଞ୍ଜୁରୀ ଓ କମ୍ପାନୀ ବୋର୍ଡର ନିଷ୍ପତତ୍ତି କ୍ରମେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଥିଲେ ଏୟାର ଇଣ୍ଡିଆର ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ ଜିଏମ୍ ମିନାକ୍ଷୀ କଶ୍ୟପ୍ ।

Leave a Reply

Your email address will not be published.