କର୍ମଚାରୀଙ୍କୁ ଛଟେଇ କରିବନି ଏୟାର ଇଣ୍ଡିଆ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କର୍ମଚାରୀ ମାନଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଛଟେଇ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର ।
ଏୟାର ଇଣ୍ଡିଆ ପକ୍ଷରୁ କରାଯାଇ ଥିବା ଟ୍ୱିଟ୍ ଅନୁଯାୟୀ, ଅନ୍ୟ ବିମାନ କମ୍ପାନୀ ପରି ଏୟାର ଇଣ୍ଡିଆ ତା’ର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ନାହିଁ । ବିମାନ ଉଡାଣ କରୁଥିବା କ୍ରୁ ମେମ୍ବର୍ସ ମାନଙ୍କୁ ସେମାନଙ୍କର ଉଡାଣର ଘଣ୍ଟା ଅନୁସାରେ ଅର୍ଥ ପ୍ରଦାନ କରାଯିବ । ଏହାଛଡା କର୍ମଚାରୀଙ୍କ ଭତ୍ତା ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ସୂଚନା ମିଳିଛି ।
ଏହାର ଇଣ୍ଡିଆ ବୋର୍ଡ ଅଧିକାରୀଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଏକ ବୈଠକର ନିଷ୍ପତ୍ତି ଅନୁଯାୟୀ କମ୍ପାନୀ ବେସିକ୍ ସାଲାରୀ, ମହଙ୍ଗା ଭତ୍ତା, ଘର ଭଡା ଭତ୍ତା ଆଦିରେ କୌଣସି ପରିବର୍ତ୍ତନ କରିବ ନାହିଁ ।
ପ୍ରତି ବର୍ଷ ୫୦୦-୬୦୦ କୋଟି ଟଙ୍କାର ଇକ୍ୱିଟି ନିବେଶ କରିବା ସମ୍ଭବ ନୁହେଁ । ଏୟାର ଇଣ୍ଡିଆ ପକ୍ଷରୁ ଏଥିରେ କାଟ୍ କରିବା ଦ୍ୱାରା କିଛି ଟଙ୍କା ସଞ୍ଚୟ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।
ସେହିପରି ନିକଟରେ ଏୟାର ଇଣ୍ଡିଆ ପକ୍ଷରୁ ତା’ର କ୍ରୁ’ ସଦସ୍ୟମାନଙ୍କ ଭତ୍ତାରେ ୫୦ ପ୍ରତିଶତ ଯାଏଁ ହ୍ରାସ କରାଯାଇଛି । ଯାହାକୁ ପିଛିଲା ଭାବେ ଏପ୍ରିଲ୍ ୧ ତାରିଖରୁ ଲାଗୁ କରାଯାଇଥିଲା । ଯେଉଁମାନେ କି ମାସିକ ୨୫ ହଜାରରୁ ଅଧିକ ଦରମା ପାଉଥିବେ । ତେବେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ବେତନ ବାବଦକୁ ମାସିକ ପ୍ରାୟ ୨୩୦ କେଟି ଟଙ୍କା ଖର୍ଚ୍ଚ କରାଯାଇଥାଏ ।
ସୂଚନାଯୋଗ୍ୟ, ବିମାନ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଘୋଷଣା କରାଯାଇଥିଲା ।