ଦିଲ୍ଲୀ ଏମ୍ସରେ ହେବ କୋଭାକ୍ସିନର ପ୍ରଥମ ହ୍ୟୁମାନ୍ ଟ୍ରାଏଲ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶବ୍ୟାପୀ କରୋନା ଭାଇରସର ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାର ଭ୍ୟାକ୍ସିନକୁ ନେଇ ଦ୍ୱନ୍ଦ ଜାରି ରହିଛି । ଏଭଳି ପରି ସ୍ଥିତିରେ ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ଭଲ ଖବର ପ୍ରଦାନ କରାଯାଇଛି ।
ଦେଶରେ ବିକଶିତ ହେଉଥିବା କରୋନା ଭାଇରସ ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଆରମ୍ଭ କରାଯିବ । ଏହା ସଫଳ ହେଲେ ବହୁ କରୋନା ରୋଗୀ ଉପକୃତ ହେବେ ବୋଲି ସୂଚନା ମିଳିଛି ।
ଗତ ଶନିବାର ଦିନ ଏମ୍ସର ଏଥିକ୍ସ କମିଟି ବୈଠକରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ଦିନ ହୋଇଥିବା ବୈଠକରେ ଏସମ୍ବନ୍ଧୀୟ କିଛି ସମସ୍ୟା ଦେଖାଯାଇଥିଲା । ଏମ୍ସ ପକ୍ଷରୁ ଏହାର ଟ୍ରାୟଲ୍ ପ୍ରକ୍ରିୟା ଆଗାମୀ ସପ୍ତାହରେ ଆରମ୍ଭ କରାଯିବ ।
ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ସହ ଭାରତ ବାୟୋଟିକ ଇଣ୍ଟରନ୍ୟାସନାଲ୍ ଲିମିଟେଡ. ମିଶି କରୋନାର ପ୍ରଥମ ସ୍ୱଦେଶୀ ଟିକେ ପ୍ରସ୍ତୁତ କରାଯାଇଥିଲା।
ସାରା ଦେଶର ୧୨ଟି ସଂସ୍ଥାନରେ ଏହି କରୋନା ଟିକାର ଟ୍ରାୟଲ୍ କରାଯିବ ବୋଲି ସୁତ୍ରରୁ ପ୍ରକାଶ । ସ୍ୱଇଚ୍ଛାରେ ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତି ମାନେ ଏହାକୁ ନିଜ ଦେହରେ ପ୍ରୟୋଗ କରାଇପାରିବେ । ଏହାଛଡା ପ୍ରଥମ ପର୍ଯ୍ୟାରେ ପ୍ରାୟ ୩୭୫ ଲୋକଙ୍କ ଉପରେ ଏହାର ପ୍ରୟୋଗ କରାଯିବ । ତନ୍ମଧ୍ୟରୁ ଦିଲ୍ଲୀ ଏମ୍ସରେ ପାଖାପାଖି ୧୦୦ ଜଣଙ୍କ ଶରୀରରେ ଏହାର ଟ୍ରାଏଲ୍ କରାଯିବ ।
ଏମ୍ସର ସୂଚନାନୁଯାୟୀ ଆଗାମୀ ସପ୍ତାହ ମଧ୍ୟରେ ଏନେଇ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କରୋନା ଟିକାର ଟ୍ରାଏଲ୍ କରାଯିବ ।