ଆତ୍ମସନ୍ତୋଷର ପରିଭାଷା

ଅମ୍ରିତା କୁଣ୍ଡୁ

ଖିରେ ଅସୁମାରୀ ସ୍ୱପ୍ନ, ଆକାଶକୁ ଛୁଇଁବାର ତୀବ୍ର ଈଚ୍ଛା । ଏତେ କମ୍ ବୟସରେ ବି ସେମାନେ କୁହନ୍ତି : ଜୀବନ ଛନ୍ଦାୟିତ । ସରଳ ରେଖାର ଜୀବନ କ’ଣ ଗୋଟେ ଜୀବନ? କିଛି ନ ଥାଇ ବି ସବୁ କିଛି ପାଇଯାଇଥିବାର ଏକ ଅଦୃତ ସନ୍ତୁଷ୍ଟି ତାଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥାଏ ।

ହଁ, ଏଠାରେ ମୁଁ କହୁଛି ଆଦୃତା ବାଳିକା ଅନାଥାଶ୍ରମର ଅନ୍ତେବାସୀଙ୍କ କଥା । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଂଗଲ ନିକଟବର୍ତ୍ତୀ ଗୋଠପାଟଣା ଠାରେ ଏକ ଶାନ୍ତ ନିର୍ମଳ ପରିବେଶରେ ଗଢି ଉଠିଛି ଆଦୃତା ଚିଲଡ୍ରେନ ହୋମ୍ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ବାପା-ମାଆଙ୍କୁ ହରାଇଥିବା ପ୍ରାୟ ୮୫ଜଣ ବାଳିକା ଏବେ ଏଠାରେ ରହୁଛନ୍ତି । ଏକ ସୁଯୋଗରେ ସେଠାକୁ ଯାଇଥିବା ଏ ଲେଖକର ଅନୁଭବ ଯାହା, ତାହା ଅବଣ୍ଣନୀୟ କହିଲେ ଚଳେ!

ଏଠାରେ ଥିବା ଅଧିକାଂଶ ଝିଅ ବାପା-ମାଆ କହିଲେ, ସେଠାରେ ତାଙ୍କ ଦାୟିତ୍ୱ ବୁଝୁଥିବା ଦୁଇ ମହିଳା କର୍ମଚାରୀଙ୍କୁ ହିଁ ବୁଝନ୍ତି । କିନ୍ତୁ ସେଥିରେ ତାଙ୍କର ତିଳେ ମାତ୍ର ଦୁଃଖ ନାହିଁ । ସେଠାରେ ଥିବା ସମସ୍ତ ଝିଅ ବିଭିନ୍ନ ବିଦ୍ୟାଳୟରେ ପାଠ ପଢନ୍ତି । କେହି କେହି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ମଧ୍ୟ ପାଠ ପଢନ୍ତି । ପ୍ରାୟ ସମସ୍ତଙ୍କ ଭିତରେ ପାଠ ପଢିବାର ଏକ ଅଦ୍ଭୁତ ନିଶା ରହିଛି। ଭାବପ୍ରବଣତା, ଆସୁମାରୀ ଆକାଂକ୍ଷା ଓ ଭବିଷ୍ୟତରେ କିଛି କରି ଦେଖାଇବାର ସ୍ଵପ୍ନ ଭିତରେ ଏଠି ତାଙ୍କ ଅତୀତ ହାର ମାନିଛି।   ସକରାତ୍ମକ ପରିବେଶରେ ବଢ଼ି ଚାଲିଥିବା ଏହି ଅନାଥାଶ୍ରମ ଭିତରକୁ ପଶିଗଲେ ଶୃଂଖଳାର ଏକ ଭିନ୍ନ ପରିଭାଷା  ଦେଖିବାକୁ ମିଳିବ। କାରଣ ଛୋଟରୁ ବଡ଼ ସମସ୍ତେ ଶୃଂଖଳିତ, ସମସ୍ତେ ସମୟାନୁବର୍ତ୍ତୀ । ଡାଇନିଂ ହଲ ଠାରୁ ଆରମ୍ଭ କରି ଟୟଲେଟ ପର୍ଯ୍ୟନ୍ତ ଏତେ ପରିଷ୍କାର ପରିଚ୍ଛନ୍ନ ଯେ, ଆପଣଙ୍କୁ ତିଳେ ମାତ୍ର ଲାଗିବ ନାହିଁ- ଆପଣ ନିଜ ଘରେ ନୁହେଁ ବରଂ ଏତେଜଣ ରହୁଥିବା କୈାଣସି ଏକ ଅନୁଷ୍ଠାନରେ ଅଛନ୍ତି ବୋଲି!

ପହଞ୍ଚିବା ମାତ୍ରେ କୁନିକୁନି ପିଲାମାନେ ଚା’, ପାଣି ଚର୍ଚା କରିବା ଦେଖି ମୁଁ ପ୍ରଥମେ ସନ୍ଦେହରେ ପଡ଼ିଲି- ଖାଲି ମୋ ପାଇଁ ନା…? ଦିଦି’ ଓ ପିଲାମାନେ ମୋ ମୁହଁରୁ ସେ ପ୍ରଶ୍ନକୁ କେମିତି କେଜାଣି ପଢ଼ି ଉତ୍ତର ଦେଲେ, ଆଜ୍ଞା ଅତିଥି ଦେବତା ସମାନ। ଏଠିକୁ ଯିଏ ଆସେ ତାକୁ ଆମେ ଆମ ପାଖରେ ଯାହା ସମ୍ଭବ ଦେଇ ସ୍ଵାଗତ କରୁ। ଏହା ପିଲାଙ୍କୁ ପରିବାରର ବନ୍ଧନୀ ଓ ଆମ ଆତିଥ୍ୟ ପ୍ରଦାନର ପରମ୍ପରାରେ ବାନ୍ଧିଥାଏ! ଶ୍ରଦ୍ଧା ସମ୍ବଳିତ ପାଣି ଗ୍ଲାସ୍‌ଟି ଉଠାଇ ପଚାରିଲି ପିଲାଏ- ଆଜି ସକାଳେ କ’ଣ ଖାଇଛ?

ପଖାଳ-ଆଳୁଭର୍ତ୍ତା ଏବଂ ମିକ୍ସଚର୍‌..!

ଭଲପାଇବା ଓ ମାନବିକତାର ଏକ ଅଦ୍ଭୁତ ନିଦର୍ଶନ ଦେଖିବାକୁ ମିଳିବ ସେଠାରେ । ଏତେ ସଂଖ୍ୟାରେ ଅନ୍ତେବାସୀଥିବା ଏହି ଅନୁଷ୍ଠାନରେ ସେମିତି ଅଧିକ କର୍ମଚାରୀ ବା କେୟାରଟେକର୍ ନାହାନ୍ତି । ବୟସରେ ଟିକିଏ ବଡ଼ ଥିବା ଝିଅମାନେ ହିଁ ଛୋଟ ଛୋଟ ଝିଅମାନଙ୍କ କଥା ବୁଝନ୍ତି । ସେମାନଙ୍କ ଖାଇବା ପିଇବା ଠୁ ଆରମ୍ଭ କରି ସେମାନଙ୍କୁ ଶୃଂଖଳାରେ ପ୍ରାର୍ଥନା କରାଇବା, ସବୁ ବଡ଼ ପିଲାମାନଙ୍କର ଦାୟିତ୍ୱ ।

ସବୁଠାରୁ ବଡ଼ କଥା ହେଉଛି, ସେଠାରେ ଥିବା ପିଲାମାନଙ୍କର କଳା କାରିଗରୀ ଦେଖିଲେ ଆପଣଙ୍କ ନିଜକୁ ବିଶ୍ୱାସ କରିପାରିବେ ନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ନାଚ, ଗୀତ ବା ପେଂଟିଂ କରିବାରେ ଧୁରନ୍ଧର । ନିଜର କଳା ପାଇଁ ଏମାନେ ଯେ କେବଳ ଭରବନେଶ୍ୱରର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି ତା ନୁହେଁ, ବରଂ ବିଦେଶରେ ଯାଇ ମଧ୍ୟ ନିଜର କଳା କୈାଶଳ ପ୍ରଦର୍ଶନ କରିଛନ୍ତି । ଶତାଧିକ ପୁରସ୍କାରରେ ଭର୍ତି ହୋଇଥିବା ଅନୁଷ୍ଠାନର ଅଫିସ ଗୃହକୁ ଦେଖିଲେ ଯେ କୈାଣସି ଲୋକ ଆକର୍ଷିତ ହୋଇଯିବ। ଏହି ପିଲାମାନଙ୍କ ଦ୍ୱାରା ଅଙ୍କାଯାଇଥିବା ପଟ୍ଟଚିତ୍ର, ଆଦିବାସୀ ଚିତ୍ର ଓ ଅନ୍ୟାନ୍ୟ ପେଣ୍ଟିଂସବୁ ଏତେ ଉଚ୍ଚକୋଟୀର ଯେ, ଦେଖିଲେ ଲାଗିବ କୌଣସି ନିଖୁଣ ଚିତ୍ରଶିଲ୍ପୀର ତୁଳୀରୁ ଏହା ଭାସି ଆସିଛି ।

ଏତେ ସବୁ ନାହିଁ ନାହିଁ ଭିତରେ ବା ଏତେ ସବୁ ବାଧା ବିଘ୍ନ ଭିତରେ ସେମାନେ ଖୋଜନ୍ତି କେବଳ ଟିକିଏ ଭଲପାଇବା ଓ କେଉଁଠି ଟିକିଏ ସୁଯୋଗ । ପ୍ରାଚୁର୍ଯ୍ୟରେ ଭରପୁର ଥାଇ ବି ସମାଜରେ ଅଧିକାଂଶ ଲୋକଙ୍କ ମଧ୍ୟରେ ଯେଉଁ ଅସନ୍ତୁଷ୍ଟି ଦେଖା ଦେଉଛି, ସେମାନେ ଅତିକମରେ ଏହି ଛୋଟ ଛୋଟ ପିଲାଙ୍କ ଠୁ ଏତିକି ଶିଖିବେ ଯେ, ବେଳେ ବେଳେ ନ ପାଇବାରେ ବି ପାଇବାର ଆତ୍ମସନ୍ତୋଷ ରହିଛି ।

Leave a Reply

Your email address will not be published. Required fields are marked *