ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ
ଭୁବନେଶ୍ବର, (ଓଡିଶା ଟାଇମ୍) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି । ଭୁବନେଶ୍ୱର ଫରେନସିକ ଲାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଆଗକୁ ତଦନ୍ତ ଘେରର ଥିବା ଅନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ ।
ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଦିନ ବଡିବା ସହ ରହସ୍ୟରୁ ପରଦା ହଟିପାରୁନି । ପ୍ରଥମେ ଘଟଣାର ତଦନ୍ତ କରୁଥିବା ଜିଆର୍ପି ପରେ କ୍ରାଇମ୍ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା । କ୍ରାଇମବ୍ରାଞ୍ଚ ଘଟଣାରେ ୨୦ଜଣରୁ ଅଧିକ ଲୋକଙ୍କ ପଚରାଉଚରା କରିସାରିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ମାର୍ଗରେ ପହଞ୍ଚିପାରୁନି । ଯେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ।
ତେବେ ଘଟଣାରେ କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ୪ଜଣଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲା । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ-ବିକାଶ ଓ ଅନ୍ୟ ଜଣଙ୍କର ଟେଷ୍ଟ ପାଇଁ ସୂଚନା ଦିଆଯାଇଥିଲା । ଏହି ଆଧାରରେ ଆଜି ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରସୁଲଗଡସ୍ଥିତ ରାଜ୍ୟ ଫରେନସିକ ଲ୍ୟାବ୍ରେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଛନ୍ତି ପତ୍ନୀ ବିଦ୍ୟାଶ୍ରୀ ।
ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଜିବା ପାଇଁ ଲାଏ ଡିଟେକସନର ସାହାର ନେଇଛି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ସସପେନ୍ସ ଭିତରେ ରହିଛି ।