ଆଦିତ୍ୟ ଦାସ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଭୁବନେଶ୍ବର, (ଓଡିଶା ଟାଇମ୍) :ସମାଜସେବୀ ତଥା ପିପୁଲ ଫର ସେବା’ର  ମୁଖ୍ୟ ଆଦିତ୍ୟ ଦାଶଙ୍କ ରେଳଧାରଣାରୁ ମୃତଦେହ ମିଳିବା ଘଟଣାରେ ସସ୍‌ପେନ୍ସ ବଢ଼ିଚାଲିଛି। ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସେପଟେ ମାମଲାର ମୋଡ଼ ବଦଳାଇଛି ଜିଆର୍‌ପି ପୁଲିସ୍‌। ପ୍ରଥମେ ଅପମୃତ୍ୟୁ ମାମଲାରେ ତଦନ୍ତ ଚଳାଇଥିବା ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିଛି ।

‘ପିପୁଲ ଫର ସେବା’ର ଅଭିଯୋଗ ଆଧାରରେ ପୁଲିସ ୩୦୨ (ହତ୍ୟା) ଓ ୩୪ ଆଇପିସି ଦଫା ମାମଲାରେ ଯୋଡିଛି। ଅନ୍ୟପଟେ ସମାଜସେବୀ ତଥା ପିପୁଲ ଫର ସେବାର ଆବାହକ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାର ସାମାଜିକ ସଂଗଠନ ୟୁନିଟ ଫର ସେବା ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଏକ ଅନୁରୋଧପତ୍ର  ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ।

ହ୍ୟାଣ୍ଡ ରାଇଟିଂ ବ୍ୟୁରୋରୁ ମ୍ୟାଚିଂ ରିପୋର୍ଟ ଆସିବା ପରେ ଏହା ଆଦିତ୍ୟଙ୍କ ଲେଖା ବୋଲି ସ୍ପଷ୍ଟ ହେବ । ଡାଏରୀରେ ଉଲ୍ଲେଖ ହୋଇଥିବା ଫାଉଣ୍ଡେସନର ଅର୍ଥ ବାବଦରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ଆଜି ଫାଉଣ୍ଡେସନ କୋଷାଧ୍ୟକ୍ଷ ପପୁ ଓ ସଭାପତି ପ୍ରୀତମ ମିଶ୍ରଙ୍କୁ ଥାନାକୁ ଡକାଇ ଏ ବାବଦରେ ଜେରା କରିଛି । ସେପଟେ ରେଳଷ୍ଟେସନ ସିସି କ୍ୟାମେରାରୁ ମୃତ୍ୟୁ ବାବଦରେ ସେମିତି କିଛି ତଥ୍ୟ ପୁଲିସକୁ ମିଳିନି।

ଆଦିତ୍ୟ ଦାସ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥିବା ବେଳେ ତାଙ୍କର ଆତ୍ମହତ୍ୟା ଘଟଣାକୁ କେହି ଗ୍ରହଣ କରିପାରୁନାହାନ୍ତି । ଏବେ ରାଜ୍ୟସରକାର ଏହି ଘଟଣାର ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚକୁ କେସ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ଏହି ଅନୁଷ୍ଠାନର କର୍ମକର୍ତ୍ତା। ଅନ୍ୟପକ୍ଷେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ସାମ୍ନାକୁ ଆସିଛି। ରିପୋର୍ଟ ଆଜି ସକାଳେ ଜିଆର୍‌ପି ଥାନା ଅଧିକାରୀଙ୍କ ହସ୍ତଗତ ହୋଇଛି । ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ରେଳବାଇ ଏସ୍‌ପି ଅଶୋକ ବିଶ୍ୱାଳ କହିଛନ୍ତି, ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ତଦନ୍ତ ଆଗେଇଛି। ଗତକାଲି ଭାଇରାଲ ହୋଇଥିବା ୪ ପୃଷ୍ଠା ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌ ଆଦିତ୍ୟଙ୍କ ଘରୁ ଜବତ ହୋଇଥିବା ଡାଏରୀର ଲେଖା ବୋଲି ସେ କହିଛନ୍ତି।

Leave a Reply

Your email address will not be published.