ଅଭିନେତା କିରଣ କୁମାରଙ୍କୁ କରୋନା ପଜିଟିଭ
ମୁମ୍ବାଇ , (ଓଡିଶା ଟାଇମ୍) : ବଲିଉଡ୍ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । କିରଣ ନିଜେ ଏ ନେଇ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, କିରଣଙ୍କର କରୋନା ଭାଇରସ୍ର କୌଣସି ଲକ୍ଷଣ ନଥିଲା । ସେ ସଂପୂର୍ଣ୍ଣ ଠିକ୍ ଥିଲେ । ତାଙ୍କର କାଶ, ଜ୍ୱର ନଥିଲା କିମ୍ବା ନିଶ୍ବାସ ନେବାରେ କୌଣସି ଅସୁବିଧା ନଥିଲା । କିନ୍ତୁ ଯେତେବେଳେ ତାଙ୍କର କୋରାନା ଟେଷ୍ଟ କରାଯାଇଥିଲା ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି । ସେଲ୍ଫ୍ କ୍ୱାରେଣ୍ଟିନ୍ରେ ରହିଥିବା ଜଣାପଡ଼ିଛି । କିଛି ହେଲ୍ଥ୍ ଚେକ୍ ଅପ୍ ପାଇଁ ସେ ହସ୍ପିଟାଲ୍ ଯାଇଥିଲେ ଓ କୋଭିଡ୍-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ସାମ୍ପଲ୍ ଟେଷ୍ଟ୍ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଉନଥିଲା ବୋଲି ସେ କହିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି ଓ ବର୍ତ୍ତମାନ ମଧ୍ୟ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଯାଉ ନାହିଁ ବୋଲି କିରଣ କହିଛନ୍ତି । ତେଣୁ ଆସନ୍ତାକାଲି ଆଉଥରେ ସେ ନମୁନା ପରୀକ୍ଷା କରିବେ ବୋଲି ଜଣାପଡ଼ିଛି । ହିନ୍ଦୀ ଫିଲ୍ମ ‘ଧଡ଼କନ୍’, ‘ତେଜାବ୍’, ‘ଖୁଦା ଗୱାହ୍’, ‘ମୁଝ୍ସେ ଦୋସ୍ତି କରୋଗେ’ ‘ପ୍ୟାର୍ କିୟା ତୋ ଡର୍ନା କ୍ୟା’, ଓ ଅନେକ ଟିଭି ସିରିୟଲ୍ରେ ଅଭିନୟ କରିଛନ୍ତି ଅଭିନେତା କିରଣ । ସେ ମଧ୍ୟ କହିଛନ୍ତି ଯେ, ସେ ନିୟମିତ ବ୍ୟାୟାମ କରୁଛନ୍ତି ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି । ଆମକୁ ଏହି ଭାଇରସ୍ କବଳରୁ ସାରା ଭାରତକୁ ରକ୍ଷା କରିବାକୁ ପଡିବ ।