ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
ଭୁବନେଶ୍ବର, (ଓଡିଶା ଟାଇମ୍): ପୂର୍ବତନ IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର ହୋଇଛି। ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସମସ୍ତ ୩ଟି ମାମଲାରେ ଜାମିନ ପାଇଗଲେ ଅଭୟ ପାଠକ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗତ ବର୍ଷ ଗିରଫ ହୋଇଥିଲେ IFS ଅଭୟ ପାଠକ ଓ ପୁଅ ଆକାଶ ପାଠକ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିଲା । ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଜେଲରେ ଥିଲେ। ହେଲେ ଆଜି ଅଭୟ ପାଠକଙ୍କୁ ଜାମିନ ମିଳଥିବାରୁ ସେ ଜେଲରୁ ମୁକୁଳିବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି।
ଅଭୟକାନ୍ତ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହି ସମୟରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ। ନିଜକୁ ଟାଟା ମୋଟର୍ସର ଏମ୍ଡି ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।











