ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ

ଆଠଗଡ଼, (ଓଡିଶା ଟାଇମ୍) :ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ । ବିଗତ ଦିନରେ ତହସିଲ କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରାଯାଇଥିବା ପୁରୁଣା ତହସିଲ ଅଫିସର ପୁନରୁଦ୍ଧାର କରାଯିବ । ବିଗତ ଦିନରେ ଏହି କୋଠା ବିପଦ ସଙ୍କୁଳ ହୋଇ ପଡିବାରୁ ତହସିଲ୍‌ ଅଫିସ୍‌କୁ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ନୂଆ କୋଠାକୁ ସ୍ଥାନାନ୍ତରିତ କରାଯାଇଥିଲା ।

୨୦୦୯ ମସିହାଠାରୁ ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ପରେ ସେହି କୋଠାଟି ଅବ୍ୟବହୃତ ଭାବରେ ପଡ଼ି ରହିଥିଲା । ସମୟକ୍ରମେ ଏହା  ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଥିଲା । କିନ୍ତୁ ଏହି ପୁରାତନ ଐତିହ୍ୟର ରକ୍ଷଣାବେକ୍ଷଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ପରେ ମଧ୍ୟ ସରକାର ଯେମିତି ଗହନ ନିଦରେ ଶୋଇ ଯାଇଥିଲେ । ଏବେ ସେହି ପୁରୁଣା କୋଠା ସହିତ ସିଂହଦ୍ଵାର ପ୍ରାୟତଃ ଭଗ୍ନାବଶେଷ ପ୍ରତୀୟମାନ ହେଉଛି । ଏହାକୁ ପୁନରୁଦ୍ଧାର ସହିତ ନୂତନ ନିର୍ମାଣ ପାଇଁ ଏବେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଏହାକୁ ରକ୍ଷଣାବେକ୍ଷଣ ତଥା ପୁନଃ ନିର୍ମାଣ ପାଇଁ ୯୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସିଂହଦ୍ଵାର ଖିଲଣର ଦୁଇ ପାର୍ଶ୍ଵରେ ଦୁଇମହଲା କୋଠା ନିର୍ମାଣ ସହିତ ସିଂହଦ୍ଵାରକୁ ପୂର୍ଵବତ୍ ଯଥା ସ୍ଥିତିରେ ରଖାଯିବ ।

ରାଜସ୍ୱ ବିଭାଗ ଚିଠି ନଂ ୭୩୭୮/୨୧ ଅନୁସାରେ, ଏହି ଅନୁଦାନ ପାଣ୍ଠି ଆସିଥିବା ବେଳେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ଆଠଗଡ଼ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାଏକ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published.