ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦିଲ୍ଲୀ ଆମ୍ ଆଦମୀ ପାର୍ଟି ନେତା ତଥା ରାଜୌରୀ ଗାର୍ଡନରୁ ପୂର୍ବତନ ବିଧାୟକ ଜରନେଲ ସିଂହଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି । କରୋନା ସଂକ୍ରମିତ ହେବା ପରେ ଜରନେଲ ସିଂହଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି । ଚିକିତ୍ସା ସମୟରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଶୁଣିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ, ତତ୍କାଳୀନ ଗୃହ ମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଉପରକୁ ଜୋତା ଫିଙ୍ଗି ଜରନେଲ ସିଂହ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ପରେ ସେ ଆମ୍ ଆଦମୀ ପାର୍ଟି ଟିକେଟ୍ ରେ ନିର୍ବାଚନ ଲଢି ବିଜୟୀ ମଧ୍ୟ ହୋଇଥିଲେ । ଏହା ପୂର୍ବରୁ ଜରନେଲ ସିଂହ ୧୯୮୪ ଦଙ୍ଗାକୁ ବିରୋଧ କରି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଜରନେଲ ସିଂହଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଟ୍ବିଟ୍ କରି ଲେଖିଛନ୍ତି ଯେ, ଦିଲ୍ଲୀର ପୂର୍ବତନ ବିଧାୟକ ଜରନେଲ ସିଂହଙ୍କ ଅସାମୟିକ ବିୟୋଗରେ ଗଭୀର ଦୁଃଖ ପହଞ୍ଚିଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ସମାଜରେ ତାଙ୍କ ଯୋଗଦାନ ପାଇଁ ସେ ସବୁବେଳେ ମନେରହିବେ ।